ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ

Aug 21, 2024 - 21:26
 0  25
ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି; ଲୋକ ଆବାଜ୍ . ଇନ୍ (ବ୍ୟୁରୋ) :

କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ମୁଖ୍ୟମନ୍ତ୍ରୀ ବସ ସେବା ଦ୍ୱାରା ବସ ଚଳାଚଳ ସମସ୍ୟାର ସମାଧାନ କରାଯିବ। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବସ ସେବା ପହଞ୍ଚାଇବା, ବାଦ ପଡ଼ିଥିବା ରୁଟ୍ ଗୁଡିକୁ ଚିହ୍ନଟ କରି ବସ ସେବା ଯୋଗାଇଦେବା ସହିତ ଜିଲ୍ଲାର ସମସ୍ତ ବ୍ଲକ ସହିତ ରାଜ୍ୟ ଓ ରାଜ୍ୟ ବାହାରର ଗୁରୁତ୍ୱପୂର୍ଣ୍ଣ ସହରଗୁଡିକୁ ବସ ସେବା ଉପଲବ୍ଧ କରାଇବାକୁ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଉଦ୍ୟମ ଜାରି ରଖିଛନ୍ତି। ଏ ଦିଗରେ ଜିଲ୍ଲା ଓ ବ୍ଲକ ପ୍ରଶାସନ, ଜନ ପ୍ରତିନିଧି, ଘରୋଇ ବସ ମାଲିକ ସଙ୍ଘ, ବୁଦ୍ଧିଜୀବୀଙ୍କ ମତକୁ ଗ୍ରହଣ କରାଯିବ ଏବଂ ରାଜ୍ୟସ୍ତରୀୟ ବୈଠକରେ ଅନୁମୋଦନ କରାଯିବ। ସେହିପରି ଦୂରଦୁରାନ୍ତରରୁ ଯାତ୍ରା କରୁଥିବା ମହିଳା ଓ ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ବସ ସେବା ଦ୍ୱାରା ଅଳ୍ପ ଖର୍ଚ୍ଚରେ ଯାତାୟତ ସୁବିଧା ପାଉଥିବାରୁ ଜିଲ୍ଲାର ବାଦ ପଡ଼ିଥିବା ଅଞ୍ଚଳକୁ ଏଥିରେ ସାମିଲ କରାଯିବ କିମ୍ବା ବସସେବା ଓ ରୁଟକୁ ପରିବର୍ଦ୍ଧିତ କରାଯିବ ବୋଲି ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକରେ ମତ ପ୍ରକାଶ ପାଇଛି। ଆଜିର ବୈଠକରେ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇ ଜିଲ୍ଲାର ବସ ଚଳାଚଳକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀ ବସସେବା ନୋଡାଲ ଅଫିସର ତନ୍ମୟ ଦରୱାନ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଭବାନୀପାଟଣା ପୌର ନିର୍ବାହୀ ଅଧିକାରୀ ଡ. ସତ୍ୟ ସମ୍ପର୍ଣ୍ଣା ରାଉତ, ଲୋକସଭା ସାଂସଦଙ୍କ ପ୍ରତିନିଧି ଅନିଲ କୁମାର ନନ୍ଦ, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ହିମାଂଶୁ ପଣ୍ଡା, ନର୍ଲା ବିଧାୟିକାଙ୍କ ପ୍ରତିନିଧି ଭାବେ ଡ. ଭବାନୀ ଶଙ୍କର ନିଆଲ, ଲାଞ୍ଜିଗଡ ବିଧାୟକଙ୍କ ପ୍ରତିନିଧି ଋତୁରାଜ ମାଝୀ, ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି, ଜୁନାଗଡ଼ ବିଧାୟକଙ୍କ ପ୍ରତିନିଧି, ନାଗରିକ ପ୍ରତିନିଧି ଡ. ଉମେଶ ଚନ୍ଦ୍ର ଶତପଥି, ମିଶନଶକ୍ତି ପ୍ରତିନିଧି ମାଧୁରୀ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। କଳାହାଣ୍ଡି ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସଭାପତି ପ୍ରବୋଧ ରଥଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତା ବୈଠକରେ ସାମିଲ ହୋଇଥିଲେ। ସେହିପରି ଲୋକଙ୍କ ଦାବି ଓ ଅଭିଯୋଗ ଆଧାରରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର, ଗୋଲାମୁଣ୍ଡା ବିଡିଓ ଶ୍ରୀଧର ପଣ୍ଡା, ଜୁନାଗଡ଼ ବିଡିଓ ଦେବାଶିଷ କର, ଥୁଆମୂଳ ରାମପୁର ବିଡିଓ ଦ୍ଵିତୀଚନ୍ଦ୍ର ମାଝୀ, କଲମପୁର ବିଡିଓ, ଭବାନୀପାଟଣା ବିଡିଓ ଚନ୍ଦନ କୁମାର ଭୋଇ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ। ଏପରିକି ଜିଲ୍ଲାର ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳକୁ ବସସେବା ଯୋଗାଇଦେବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବ ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ। ସେହିପରି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ବସ ଚଳାଚଳ ସମ୍ପର୍କିତ ମୋବାଇଲ ଆପ ତିଆରି କରିବା, ଜିପିଏସ ସହିତ ରହଣୀ ସମ୍ପର୍କିତ ସ୍ୱୟଂକ୍ରିୟ ଘୋଷଣା ବ୍ୟବସ୍ଥା ଆପଣେଇବାକୁ ପ୍ରସ୍ତାବ ଦେଇଥିଲେ। ବୈଠକ ପ୍ରାରମ୍ଭରେ ଓଏସଆରଟିସି ତଥା ଆମ ବସଷ୍ଟାଣ୍ଡ ଜିଲ୍ଲା ପ୍ରବନ୍ଧକ ସ୍ବଦେଶ କୁମାର ପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। ଏବି ବୈଠକରେ ଡିପୋ ଇନଚାର୍ଜ ଶ୍ୱାସତ ପ୍ରଧାନ, ଜିଲ୍ଲାର ୧୩ଟି ବ୍ଲକ ର ସୁପରଭାଇଜର ଏବଂ ଅପରେଟର ରାଜେଶ ଦାସ ଓ ଦୀପକ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow