ଗାଡ଼ିରେ ରକ୍ତର ଛିଟା ଦେଖି ଆତଙ୍କିତ ଅଞ୍ଚଳବାସୀ

Sep 20, 2024 - 19:29
 0  79
ଗାଡ଼ିରେ ରକ୍ତର ଛିଟା ଦେଖି ଆତଙ୍କିତ ଅଞ୍ଚଳବାସୀ

କଣ୍ଟାମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ଯାତ୍ରା ପଡିଆ ଠାରେ ଥିବା ବରଗଛ ତଳେ ଏକ ଅଜଣା ଚାରିଚକିଆ ଗାଡ଼ି ଥିବା ଦେଖି ଅଞ୍ଚଳବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି ।ସୂଚନା ଅନୁସାରେ,ଗତ ବୁଧବାର ପ୍ରାୟ ବିଳମ୍ବିତ ରାତିରେ ଗବଯୋର ଗାଁର ଯାତ୍ରା ପଡିଆ ଠାରେ ଥିବା ବରଗଛ ତଳେ ଏକ ଅଜଣା ଚାରିଚକିଆ ଟାଟା ଏସି (ଓଡ଼ି ୦୫ ଏଆର୍ ୨୧୬୭)ନମ୍ବର ବିଶିଷ୍ଟ ଗାଡ଼ି ଥିବା ଦେଖି ଅଞ୍ଚଳବାସୀ ମନମୁଣ୍ଡା ପୁଲିସକୁ ଖବର ଦେଇଥିଲେ ।ଖବର ପାଇ ପୁଲିସ ଆସି ଗାଡ଼ିଟିକୁ ତଦନ୍ତ କରିଥିଲା ।ତଦନ୍ତ ପରେ ଗାଡ଼ିରେ ରକ୍ତର ଛିଟା ପଡିଥିବାବେଳେ କୌଣସି ଦୁର୍ଘଟଣା ନ ହୋଇ ଆଗ ପଟ କାଚ ଭାଙ୍ଗି ଯାଇଛି ।ଗାଡ଼ି ଭିତରେ ରକ୍ତଭିଜା ଏକ ପ୍ୟାଣ୍ଟ ପଡିଥିବା ସହ ପଛପଟ ଡାଲାରେ ପନିପରିବା ପେଟି ଗୁଡ଼ିକ ଭର୍ତ୍ତି ହୋଇଥିବା ବେଳେ ଗାଡ଼ିକୁ ଏକ ପ୍ଲାଷ୍ଟିକ ରସି ସାହାଯ୍ୟରେ ବନ୍ଧା ଯାଇ ମୁଖ୍ୟ ରାସ୍ତାରୁ ପ୍ରାୟ ୨ଶହ ମିଟର ଭିତରକୁ ନେଇ ଉକ୍ତ ସ୍ଥାନରେ ଛାଡ଼ିଦେଇ ଦୃର୍ବୁତ୍ତ ମାନେ ଫେରାର ଥିବା ଜଣାପଡିଛି ।ଯେକୌଣସି ମାରପିଟ ଘଟଣାକୁ ନେଇ ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର ହୋଇଥାଇପାରେ ବୋଲି ପୁଲିସ ତାର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।ତାପରେ ପୁଲିସ ଗାଡ଼ିଟିକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଥିବା ମନମୁଣ୍ଡା ଥାନାଧିକାରୀ ରାମକୁମାର ମୁର୍ମୁ ସୂଚନା ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ,କଣ୍ଟାମାଳ ବ୍ଲକ ଏକ ଗଞ୍ଜେଇ ପ୍ରବଣ ଅଞ୍ଚଳ ହୋଇଥିବାରୁ ଗବଯୋର - ବୈଦ୍ୟନାଥ ତେଲନଦୀ ଉପରେ ସେତୁ ନିର୍ମାଣ ହେଲା ଦିନ ଠାରୁ ଏହି ଅଞ୍ଚଳରେ ପ୍ରାୟ ସମୟରେ ଗଞ୍ଜେଇ ମାଫିଆ ମାନଙ୍କ ସହିତ ଡକାୟତି,ରାହାଜାନୀ ଭଳି ଅନେକ ସଙ୍ଗୀନ ଅପରାଧ ଘଟିଯାଇଥିବା ନଜିର ରହିଛି ।ତେଣୁ ଗବଯୋର ଅଞ୍ଚଳରେ ଏକ ପୁଲିସ ବିଟ ହାଉସ ସ୍ଥାପନ ପାଇଁ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଗ୍ରହଣୀୟ ହୋଇନାହିଁ ।ଏଦିଗରେ ପୁଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

What's Your Reaction?

like

dislike

love

funny

angry

sad

wow