ସୁବର୍ଣ୍ଣପୁରରେ “ପରାକ୍ରମ ଶୋଭାଯାତ୍ରା” – ଜାଗ୍ରତ ଦେଶ ପ୍ରେମୀ ମହିଳାମାନଙ୍କ ଅଭିନବ ଉଦ୍ୟମ:-

ସୁବର୍ଣ୍ଣପୁର:ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲାର ଜାଗ୍ରତ ରାଷ୍ଟ୍ରବାଦୀ ମହିଳାମାନଙ୍କ ଉଦ୍ଯମରେ ଆଜି ସକାଳ ୮ଟାରୁ ଏକ ଭବ୍ୟ “ପରାକ୍ରମ ଶୋଭାଯାତ୍ରା” ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଅପରେସନ ସିନ୍ଦୁରର ଶୌର୍ଯ୍ୟ, ସେନାଶକ୍ତି ଓ ପ୍ରଜାଶକ୍ତିର ଗୌରବକୁ ଉଜାଗର କରିଥିଲା। ଶୋଭାଯାତ୍ରା ସୁରେଶ୍ଵରୀ ମନ୍ଦିର ଠାରୁ ଆରମ୍ଭ ହୋଇ ବିଜୁପଟ୍ଟନାୟକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଓ ସୋନପୁର ସହରର ବହୁ ସଂଖ୍ୟକ ମହିଳା, ମା, ଭଉଣୀ ଓ ସମ୍ମାନୀତ ଅତିଥିମାନେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ସୌମ୍ଯରୂପା ରଥ, ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗ।ତତସହ ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ସେବା ସଂଗଠନର ଶହ ଶହ ମାଁ, ଭଉଣୀ ଅଂଶଗ୍ରହଣ କରି ଦେଶପ୍ରେମ ଓ ସେନାଶକ୍ତି ପ୍ରତି ସମର୍ଥନ ପ୍ରକାଶ କରିଥିଲେ।
ଶୋଭାଯାତ୍ରା ପରେ ମହିଳା ସମନ୍ୱୟ ସମିତି ତରଫରୁ ବିଜୁ ପଟ୍ଟନାୟକ ଛକ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯାହାର ସଂଯୋଜନା କରିଥିଲେ ଶ୍ରଦ୍ଧାଞ୍ଜଳୀ ମହାପାତ୍ର। ସଭାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ତଥା ବରଗଡ଼ରୁ ଆସିଥିବା ମୁଖ୍ୟ ବକ୍ତା ସୁଶ୍ରୀ ଜୟଶ୍ରୀ ମହାପାତ୍ର, ଅଧିବକ୍ତା ପ୍ରାନ୍ତ ମହିଳା ସମନ୍ୱୟର ସହ ସଂଯୋଜିକା ଓ ଅନ୍ୟମାନେ ଦେଶର ସୁରକ୍ଷା ଓ ପରାକାଷ୍ଠା ଉପରେ ଉଦବୋଧନ ଦେଇଥିଲେ।
କାର୍ଯ୍ୟକ୍ରମରେ ଆରତୀ ଖମାରୀ, ସ୍ମିତାରାଣୀ ମେହେର, ନିରୂପମା ପରଧିଆ, ସୁନନ୍ଦା ସାହୁ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ସରୀତା ସାହୁ, ପୁଷ୍ପାଞ୍ଜଳୀ ମଲ୍ଲିକ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ପୂର୍ଣ୍ଣିମା ଓ ଲକ୍ଷ୍ମୀ ଭଉଣୀ , ଭୁବନେଶ୍ୱର ଭଞ୍ଜ ଭାରତୀ ସଦସ୍ୟା ମାଳତୀ ତ୍ରୀପାଠୀ ତଥା ବିଭିନ୍ନ ଅଞ୍ଚଳ ର ଅନେକ ମହିଳା କାର୍ଯ୍ୟକର୍ତ୍ତାଙ୍କ ଅଭିନବ ଅଭିଯାନ ଜଣସାଧାରଣଙ୍କ ଭିତରେ ଦେଶପ୍ରେମ ଓ ଜାଗୃତି ଉନ୍ମେଷ କରିଥିଲା।
ଏହି ଅବସରରେ ପର୍ଯ୍ୟଟନରେ ଯାଇ ବଳିଦାନ ହୋଇଥିବା ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇବା ସହ ଦେଶପ୍ରତି କୃତଜ୍ଞତା ପ୍ରକାଶ କରାଯାଇଥିଲା। ଜିଲ୍ଲା ମାରୱାଡ଼ି ଯୁବାମଞ୍ଚ ଓ ଟ୍ରକ ଆସୋସିଏସନ୍ ତରଫରୁ ସମସ୍ତ ସହଭାଗୀ ଓ ସାଧାରଣ ଲୋକମାନଙ୍କୁ ଥଣ୍ଡାପାନୀୟ ବିତରଣର ବ୍ୟବସ୍ଥା ହୋଇଥିଲା।
ସୋନପୁର ଜନସାଧାରଣ, ପ୍ରଶାସନ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ବିପୁଳ ସମର୍ଥନ ଓ ଅନୁଶାସନାତ୍ମକ ଅଭିଗମରେ ଏହି ପରାକ୍ରମ ଶୋଭାଯାତ୍ରା ବେଶ ସଫଳ ଓ ସଂଗଠିତ ହୋଇପାରିଥିବାରୁ ଆୟୋଜକଙ୍କ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
What's Your Reaction?






