ନୂଆପଡାରେ ଆଉ ଶୋଷଣର ଶିକାର ହେବେନି ମହୁଲ ଗୋଟାଳି। ସେମାନଙ୍କୁ ପରିଶ୍ରମର ଉଚିତ୍ ମୂଲ୍ୟ ମିଳିବ - ଜିଲ୍ଲାପାଳ

ନୂଆପଡାରେ ଆଉ ଶୋଷଣର ଶିକାର ହେବେନି ମହୁଲ ଗୋଟାଳି। ସେମାନଙ୍କୁ ପରିଶ୍ରମର ଉଚିତ୍ ମୂଲ୍ୟ ମିଳିବ - ଜିଲ୍ଲାପାଳ।
ନୂଆପଡା: ଲୋକ୍ ଆବାଜ୍.ଇନ୍( ରାମନାଥ ପଣ୍ଡା)
ଜିଲ୍ଲାରେ ମହୁଲ ଫୁଲର ଉଚିତ୍ ମୂଲ୍ୟରେ କ୍ରୟ ବିକ୍ରୟ ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ବିଭାଗ କର୍ମଚାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ, ଜିଲ୍ଲାର ମହୁଲ କ୍ରେତା ଓ ଗୋଟାଳି ତଥା ବିକ୍ରେତା ମାନେ ଯୋଗଦେଇଥିଲେ । ବହୁ ଦିନରୁ ଅଭିଯୋଗ ହେଉଥିଲା ଏବଂ ଗଣ ମାଧ୍ୟମରେ ପ୍ରସାରିତ ହେଉଥିଲା ଯେ ଜିଲ୍ଲାର ଗରିବ ମହୁଲ ଗୋଟାଳି ତଥା ଆଦିବାସୀ ମାନେ ବହୁ ପରିଶ୍ରମ କରି ମହୁଲ ଫୁଲ ସଂଗ୍ରହ କରୁଥିଲେ ମଧ୍ୟ ତାର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି । ବେପାରୀ ଏବଂ ମଧ୍ୟସ୍ଥି ମାନେ ବହୁ କମ୍ ଦାମରେ ଏହାକୁ କିଣି ଅନେକ ଲାଭ କରୁଥିଲା ବେଳେ ଗରିବ ଗୋଟାଳି ମାନେ ଏହାର ପରିଶ୍ରମ ମୂଲ୍ୟବି ପାଉ ନାହାଁନ୍ତି । ଏହି ସମସ୍ୟାକୁ ଜିଲ୍ଲାପାଳ ଗମ୍ଭୀର ଭାବରେ ଗ୍ରହଣ କରି ଏହି ବୈଠକ ଆୟୋଜନ କରିବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଗରିବ ଚାଷୀ ଆଦିବାସୀ ବହୁ କଷ୍ଟରେ ସମଗ୍ର ପରିବାର ନିୟୋଜିତ ହୋଇ ମହୁଲ ସଂଗ୍ରହ କରୁଛନ୍ତି। କେତେବେଳେ ସେମାନେ ଭାଲୁର ଶିକାର ହେଉଛନ୍ତି ତ କେତେବେଳେ ଅଂଶୁଘାତର ।ସେମାନେ ଏହାର ଉଚିତ୍ ମୂଲ୍ୟ ପାଇବା ଅତ୍ୟନ୍ତ ଆବଶ୍ୟକ। ବେପାରୀ ମାନେ କମ୍ ଦାମରେ ଏହାକୁ କିଣି ଲାଭ ପାଉଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ବଦନାମ ହେଉଛି । ଏଭଳି ଆଉ ଚଳିବ ନାହିଁ। ମହୁଲ ଫୁଲର କିଗ୍ରା ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ 47 ଟଙ୍କା ରହିବ । ଏଥିରୁ କମ୍ ମୂଲ୍ୟରେ ବେପାରୀ କିଣିଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ । ପ୍ରତିଦିନ ମହୁଲ କ୍ରୟ ବିକ୍ରୟ ସମ୍ବନ୍ଧୀୟ ରିପୋର୍ଟ ଜିଲ୍ଲାପାଳଙ୍କୁ ଅବକାରୀ ବିଭାଗ ପ୍ରଦାନ କରିବେ। ଜିଲ୍ଲାପାଳଙ୍କ ଏହି ସମୟୋଚିତ ପଦକ୍ଷେପ ଜିଲ୍ଲାର ହଜାର ହଜାର ମହୁଲ ଗୋଟାଳି ମାନଙ୍କୁ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଆଶା କରାଯାଉଛି।
What's Your Reaction?






