ଜିଲ୍ଲା ସ୍ତରୀୟ କମିଟି ଦ୍ବାରା ଜଙ୍ଗଲ ଜମି ଅଧିକାର ଗୁଡ଼ିକୁ ଅନୁମୋଦନ
ନୂଆପଡ଼ା:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟିର ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଉପ ଜିଲ୍ଲାପାଳ ସୁରମି ସୋରେନ,ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତି ମନ୍ତ ଭୋଇ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀ,ସମସ୍ତ ତହସିଲଦାର,ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ୟାର ଅନୁଷ୍ଠାନର ସଭାପତି ମହେନ୍ଦ୍ର ଯୋଶୀ ଏବଂ ଜଙ୍ଗଲ ଜମିର ଉପଖଣ୍ଡ ଓ ଜିଲ୍ଲା ସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।ଉକ୍ତ କମିଟି ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାରର ସ୍ଵୀକୃତି)ଆଇନ ୨୦୦୬ ଅଧୀନରେ ମୋଟ ୬୪ ଗୋଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ,୩ ଟି ଗୋଷ୍ଠିଗତ ଜଙ୍ଗଲ ଅଧିକାର ଏବଂ ୧୨ ଗୋଟି ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାର ଦାବୀକୁ ଅନୁମୋଦନ କରାଯାଇଥିଲା ।ପୂର୍ବରୁ ବିଚାରାଧୀନ ୫୩ ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ମଧ୍ୟରୁ ୪ ଗୋଟି ଅନୁମୋଦନ କରାଯାଇଥିଲା।ଉଲ୍ଲେଖ ଥାଉକି ବର୍ତ୍ତମାନ ସୁଦ୍ଧା ନୂଆପଡ଼ା ଜିଲ୍ଲାରେ ୭୭୬୮ ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର,୫୧ ଟି ଗୋଷ୍ଠିଗତ ଜଙ୍ଗଲ ଅଧିକାର ଏବଂ ୬୩ ଟି ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାର ଦାବୀ ସହିତ ଆଦିମ ଜନଜାତି ଚୁକଟିଆ ଭୁଞ୍ଜିଆଙ୍କୁ ବସତି ଅଧିକାର ପ୍ରଦାନ କରାଯାଇ ପାରିଛି ।ଏଥିରେ ସମୁଦାୟ ୩୦୪୩.୫୪ ହେକ୍ଟର ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାର ଅନ୍ତର୍ଭୁକ୍ତ ।ଗ୍ରାମ ସଭାରେ ବିଚାରାଧୀନ ଥିବା ସମସ୍ତ ଦାବିଗୁଡିକୁ ଅତିଶିଘ୍ର ତ୍ୱରାନ୍ୱିତ କରି ଉପଖଣ୍ଡ ସ୍ତରୀୟ କମିଟିକୁ ପ୍ରେରଣ ନିମନ୍ତେ ଆଲୋଚନା ହୋଇଥିଲା । ଅଣ ସର୍ବେକ୍ଷଣ ଗ୍ରାମ ଢେକୁନ ପାଣିକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ଆସିଥିବା ଦାବି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା ଏବଂ ଏହାର ପ୍ରକ୍ରିୟାକୁ ଶୀଘ୍ର ତ୍ବରାନ୍ବିତ କରିବା ପାଇଁ ତହସିଲଦାର କୋମନାକୁ ନିର୍ଦ୍ଦେଶ ଦେଇଥିଲେ ।ଆଗାମୀ ଦିନରେ ଶିରୋନାମା ପ୍ରାପ୍ତ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରର ସୁଚାରୁ ପରିଚାଳନା ପାଇଁ ଗ୍ରାମସଭା ଏବଂ ହିତାଧିକାରୀ ଗୋଷ୍ଠୀମାନଙ୍କୁ ବିଶେଷ ପ୍ରଶିକ୍ଷଣ କରାଯିବ ।ଏହା ପାଇଁ ବିଭିନ୍ନ ବିଭାଗକୁ ସଂଯୋଜନ କରି ଏକ ସମନ୍ୱିତ ପ୍ରୟାସ ଆରମ୍ଭ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ସଭାର ଶେଷରେ ସମ୍ପୂର୍ଣ୍ଣ ବିଭାଗକୁ ଲକ୍ଷ୍ୟ ଆଧାରିତ କାର୍ଯ୍ୟ ସମୟ ସୀମା ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା
What's Your Reaction?