ନୂଆପଡ଼ା ଜିଲ୍ଲାର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ
Press conference by DM Nuapada

ନୂଆପଡ଼ା ଜିଲ୍ଲାର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ
ନୂଆପଡ଼ା, ଲୋକ ଆବାଜ.ଇନ୍(ରମାନାଥ ପଣ୍ଡା)
ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ସଂକଳ୍ପବଦ୍ଧ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକାଶ କରିଛନ୍ତି l ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇ କହିଲେ ଯେ - ଆମ ନୂଆପଡ଼ା ଜିଲ୍ଲାର ସୁନାବେଡା ଅଞ୍ଚଳରେ ଚକୋଟିଆ ଭୁଞ୍ଜିଆ ଜନଜାତିର ଆଦିବାସୀମାନେ ବହୁ ବର୍ଷ ଧରି ବସବାସ କରୁଛନ୍ତି l ନୂଆପଡା ଓ କୋମନା ବ୍ଳକର ୩୫ ଟି ବସତିରେ ମୋଟ ୧୨୬୮ଟି ପରିବାର ମଧ୍ୟରେ ୫୦୬୨ ଜଣ ସଦସ୍ୟ ଅଛନ୍ତି କିନ୍ତୁ ଅନେକ ଲୋକ ସମାଜର ମୁଖ୍ୟ ସ୍ରୋତରେ ବର୍ତ୍ତମାନ ପର୍ଯ୍ୟନ୍ତ ସାମିଲ ହୋଇପାରିନାହାନ୍ତି l ଏହି ଯୋଜନାରେ ସରକାରଙ୍କ ଦ୍ୱାରା ବିଭିନ୍ନ ବିଭାଗ ତରଫରୁ ଉପଲବ୍ଧ ସୁବିଧା ସୁଯୋଗ ସମସ୍ତ ପରିବାର ତଥା ସଦସ୍ୟଙ୍କ ପାଖରେ ପହଞ୍ଚାଇବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ l ଯଦି କୌଣସି ବ୍ୟକ୍ତି ଏହି ସବୁ ଜନ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ତାହେଲେ ଏଇ ସୁବିଧା ସବୁ ସେମାନଙ୍କ ଦ୍ୱାର ଦେଶରେ ପହଞ୍ଚାଇ ଦିଆଯିବ l ସରକାରଙ୍କ ବିଭିନ୍ନ ବିଭାଗ ଏଥିପାଇଁ ଅତିଶୀଘ୍ର ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବେ l ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ଜନଜାତିଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଅଂଚଳରେ ପ୍ରଚାର ପ୍ରସାର ଅଭିଯାନ ଚାଲିବ l ଜନଜାତି ବସତି ମାନଙ୍କରେ ଶିବିର ମାଧ୍ୟମରେ ହିତାଧିକାରୀ ମାନଙ୍କୁ ଆଧାର କାର୍ଡ, ଖାଉଟି କାର୍ଡ, ଜନଧନ ଆକାଉଣ୍ଟ ଏବଂ ବିଭିନ୍ନ ପ୍ରମାଣ ପତ୍ର ଯୋଗାଇଦିଆଯିବ l ସିକିଲ ସେଲ, ରକ୍ତ ହୀନତା ତଥା ବିଭିନ୍ନ ରୋଗ ନିରାକାରଣ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଠାକାର ମହିଳା ସ୍ୱୟଂ ସହାୟକ ଦଳ ମାନଙ୍କୁ ସଶକ୍ତିକରଣ କରି ସେମାନଙ୍କ ଜୀବନ ଜୀବିକାରେ ସୁଧାର ଆଣିବା ପାଇଁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବ l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ପରିବାରକୁ ପକ୍କା ଘର ପ୍ରଦାନ କରାଯିବ । ସମସ୍ତ ଯୋଜନାର ଯେମିତି ଦ୍ରୁତ କାର୍ଯ୍ୟାନ୍ୱୟନ ହୋଇପାରିବ ତା'ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ବ୍ଲକ ମାନଙ୍କରେ ବିଡ଼ିଓ ମାନେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ l ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ବିଭିନ୍ନ ଲାଇନ ବିଭାଗ ମାନଙ୍କ ସହାୟତରେ ସେମାନଙ୍କ ଦ୍ରୁତ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବେ l ଉପରୋକ୍ତ ସମସ୍ତ ମହତ କାମର ପ୍ରଚାର ପ୍ରସାରରେ ସହାୟତା କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଳାର ସମସ୍ତ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି l ଆଜିର ଏହି ସଭାରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l
What's Your Reaction?






