ଯୋଗୀ ପଦରରେ ଜଣ୍ଡିସ ଆତଙ୍କ ପରେ ପହଞ୍ଚିଲେ ଜିଲ୍ଲାପାଳ

କଣ୍ଟାମାଳ:- ଲୋକ୍ ଆବାଜ୍.ଇନ୍ ( ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ପଞ୍ଚାୟତ ଯୋଗୀପଦର ଗ୍ରାମରେ ଜଣ୍ଡିସ ରୋଗ ବଢିବାରେ ଲାଗିଥିବା ବେଳେ ଆଜି ଜିଲ୍ଲାପାଳ ଗ୍ରାମକୁ ପରିଦର୍ଶନ କରିଛନ୍ତି | ଘଟଣା ପ୍ରଚାର ହେବା ପରେ ଗତକାଲି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର, ମନମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ମହେନ୍ଦ୍ର ସାଏ ସହ ମନମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ଏବଂ ସ୍ଥାନୀୟ ଆଶା ଓ ଅଙ୍ଗନୱାଡ଼ି କର୍ମୀ ସହ ଗ୍ରାମକୁ ପହଞ୍ଚି ଆକ୍ରାନ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ | ଆଜି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଗ୍ରାମ ପରିଦର୍ଶନ କରି ଆକ୍ରାନ୍ତଙ୍କ ଘରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ | ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡି, ବ୍ଲକ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ , ମନମୁଣ୍ଡା ମେଡିକାଲ ଅଫିସର ମହେନ୍ଦ୍ର ସାଏ, କଣ୍ଟାମାଳ ବ୍ଲକ ଜଳ ଓ ପରିମଳ
ବିଭାଗର ସହକାରୀଯନ୍ତ୍ରୀ ଅଜିତକୁମାର ସେଠୀଙ୍କ ସହ ସ୍ବାସ୍ଥ୍ୟ ଅଧିକାରୀ , ଆଶା, ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ | ଅନ୍ୟପଟେ ଗ୍ରାମର ପାନୀୟ ଜଳ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ପରିବେଶ ସଫା ସୂତରା ରଖିବା ସହ ପାଣିକୁ ଫୁଟାଇ ପିଇବାକୁ ଅଧିକାରୀମାନେ ଲୋକଙ୍କୁ ପରାମର୍ଶ ଦେଇଥିଲେ | କୌଣସି ଲକ୍ଷଣ ଦେଖା ଦେଲେ ତୁରନ୍ତ ମେଡିକାଲ ଯାଇ ପରୀକ୍ଷା କରିବାକୁ ଲୋକଙ୍କୁ ସଚେତନ କରିଥିଲେ |
What's Your Reaction?






