ଶ୍ରୀଜଗନ୍ନାଥ ମହୋତ୍ସବ ଉଦଯାପିତ......ସ୍ମରଣିକା ଦାରୁବ୍ରହ୍ମ ଉନ୍ମୋଚିତ

ସୋନପୁର -୨୫/୦୩ (ଲୋକ ଆବାଜ୍.ଇନ୍; ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ସୁବର୍ଣ୍ଣପୁର ର ସ୍ବର୍ଣ୍ଣପ୍ରୟାଗ ରାମେଶ୍ୱରଠାରେ ସପ୍ତାହବ୍ୟାପୀ ଚାଲିଥିବା ଜଗନ୍ନାଥ ମହୋତ୍ସବ ଏକ ଭକ୍ତିମୟ ପରିବେଶରେ ଆଜି ଅପରାହ୍ନ ରେ ଉଦଯାପିତ ହୋଇଯାଇଛି । ଜଗନ୍ନାଥ ସଂସ୍କୃତି ଓ ଚେତନାର ବିସ୍ତାର ଲକ୍ଷ୍ୟରେ ଶ୍ରୀଜଗନ୍ନାଥଙ୍କ ଦୁଲ୍ଲଭ ବତିଶ ବେଶ,ପଞ୍ଚକୁଣ୍ଡିୟ ଘୃତଯଜ୍ଞ ସହ ରାମେଶ୍ୱର ନିତ୍ୟକୁଞ୍ଜରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ପଡିଛି । ସାତଦିନ ଧରି ଅନୁଷ୍ଠିତ ଜଗନ୍ନାଥ ମହୋତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଜଗନ୍ନାଥ ମଞ୍ଚର ତ୍ରିଆଳତୀ ପର୍ବ ସହ ପ୍ରବଚନ ଓ ଭଜନକୁ ଲୋକେ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଛନ୍ତି । ସ୍ୱତନ୍ତ୍ର ବତିଶ ବେଶ ଆଗରେ ପ୍ରତିଦିନ ୩୨ଜଣ ଦମ୍ପତ୍ତି ବିଷ୍ଣୁ ସହସ୍ର ନାମ ପଠନ କରିଥିବାବେଳେ ଦୁଲ୍ଲଭ ବେଶ ଦର୍ଶକଙ୍କ ପ୍ରମୁଖ ଆକର୍ଷଣ ଭାବେ ଉଭା ହୋଇଥିଲା । ଏଥିସହ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ କଥାମୃତକୁ ନେଇ ଜଗନ୍ନାଥ ସଂସ୍କୃତି ପ୍ରବାଚକ ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀଙ୍କ ପ୍ରବଚନକୁ ହଜାର ହଜାର ଭକ୍ତିପୂତ ଶ୍ରଦ୍ଧାଳୁ ଉପଭୋଗ କରିଛନ୍ତି । ଏହି ଅବସରରେ "ଦାରୁବ୍ରହ୍ମ" ସ୍ମରଣୀକା ସାଧୁସନ୍ଥଙ୍କ ହାତରେ ଲୋକାର୍ପିତ ହୋଇଛି । ପାତାଳି ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁର ମାଟିରେ ପ୍ରଥମଥର ଭାବେ ଆୟୋଜିତ ଜଗନ୍ନାଥ ମହୋତ୍ସବ ତଥା ଦୁଲ୍ଲଭ ବତିଶ ବେଶ ଦର୍ଶନ ଶ୍ରଦ୍ଧାଳୁଙ୍କ ମନରେ ଏକ ଭିନ୍ନ ଆଧ୍ୟାତ୍ମିକତାର ଭାବ ଭକ୍ତି ଭରି ଦେଇଛି । ମହୋତ୍ସବର ପୁନଃଶ୍ଚରଣ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ରାମେଶ୍ୱର ତ୍ରିବେଣୀ ସଙ୍ଗମ ଘାଟରେ ସାଧୁସନ୍ଥଙ୍କ ସାହି ସ୍ନାନ ପରେ ଶ୍ରଦ୍ଧାଳୁମାନେ ଅମୃତ ସ୍ନାନ କରିଥିଲେ l ମହୋତ୍ସବ କମିଟି ପକ୍ଷରୁ ସାଧୁସନ୍ଥ ଓ ଯଜ୍ଞରେ ନିୟୋଜିତ ଆଚାର୍ଯ୍ୟଙ୍କ ସେବପୂଜା ସହ ବସ୍ତ୍ରଦାନ କରାଯାଇଥଲା l ପଞ୍ଚକୁଣ୍ଡିୟ ଘୃତଯଜ୍ଞ,ଚବିଶ ପ୍ରହରୀ ନାମଯଜ୍ଞ ଓ ବତିଶ ବେଶ ସହ ଶ୍ରୀଗୋପାଳ ପୂଜନର ପୂର୍ଣ୍ଣାହୁତି ପଡିଛି l ମୁଖ୍ୟ କମିଟିର ସମସ୍ତ ବିଭାଗୀୟ ମୁଖ୍ୟ,ସଦସ୍ୟ,ସଦସ୍ୟାଙ୍କ ସହ କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ଶ୍ରଦ୍ଧାଳୁ ଫଗୁ ଓ ଅବିର ମାଖି ସଂକୀର୍ତ୍ତନ,ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀରେ ନାଚିନାଚି ମହୋତ୍ସବ ପୂର୍ଣ୍ଣକୁମ୍ଭକୁ ସଙ୍ଗମରେ ବିସର୍ଜନ କରିଥିଲେ l ପୂର୍ଣ୍ଣାହୁତି ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ସେବନ କରିଛନ୍ତି l
What's Your Reaction?






