ସୁବର୍ଣ୍ଣପୁର ଜିଲ୍ଲାରେ ମେଗା ଲିଫ୍ଟ ଅଚଳ ତରଭା ବ୍ଲକରେ ତାତିଲେ ଚାଷୀ

Oct 19, 2024 - 17:49
 0  6
ସୁବର୍ଣ୍ଣପୁର ଜିଲ୍ଲାରେ ମେଗା ଲିଫ୍ଟ ଅଚଳ ତରଭା ବ୍ଲକରେ ତାତିଲେ ଚାଷୀ

ସୁବର୍ଣ୍ଣପୁର,ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

କୃଷି ଭିତ୍ତିକ ସୁବର୍ଣ୍ଣପୁର ଜିଲ୍ଲାରେ ଦୀର୍ଘ ବର୍ଷରୁ ଖାଲି ପଡିଛି ବୃହତ ଉଠା ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀ। ଶିକାର ହେଉଛନ୍ତି ଚାଷୀ। ସେପଟେ ଚାଲିଛି କୋଟି କୋଟି ଟଙ୍କା ପ୍ରକଳ୍ପ କାମ କିନ୍ତୁ ଜମିକୁ ଆସୁନି ପାଣି। ନେତା, ଅଫିସର ଓ ଠିକାଦାର ହେଉଛନ୍ତି ମାଲା ମାଲ୍। ଏହା ହେଉଛି ଦୁର୍ନୀତି ର ଏକ ଛୋଟ ଝଲକ୍ l

 ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ତାତିଲେ ଚାଷୀ। ବୃହତ ଉଠା ଜଳସେଚନ ପ୍ରକଳ୍ପରେ ଚାଷୀଙ୍କୁ ପାଣି ଦିଅ ନଚେତ ଏହାକୁ ବାତିଲ କରିବା ଦାବିରେ ଶୁକ୍ରବାର ତରଭା-କଣ୍ଟାମାଳ ରାସ୍ତାର ଗୁଞ୍ଜିମୁଣ୍ଡା ଛକରେ ଚାଷୀଙ୍କ ରାସ୍ତାରୋକ ଫଳରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସହିତ ଯାତାୟତ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକ ହଇରାଣ ହୋଇଛନ୍ତି। ୨୦୧୯ ଆର୍ଥିକ ବର୍ଷରେ ତରଭା ବ୍ଲକ ମରାଡୁଗୋଚ୍ଛା ପଞ୍ଚାୟତ ଗୁର୍ଜିମୁଣ୍ଡା ନିକଟରେ ପ୍ରାୟ ୮ଶହ ୩୦ହେକ୍ଟର ଚାଷ ଜମିକୁ ଜଳ ସେଚନ ପାଇଁ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏଲଏଣ୍ଟଟି କମ୍ପାନୀ ଦ୍ବାରା ନିର୍ମାଣ ହୋଇଥିଲା। କିନ୍ତୁ ନେତା,ଅଫିସର, ଯନ୍ତ୍ରୀ ଏବଂ ଠିକାଦାରଙ୍କ ଦୂରଦୃଷ୍ଟି ଅଭାବ ଓ ଲାଭଖୋର ମନୋବୃତ୍ତି ଯୋଗୁଁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଚାଷୀ ପାଣି ପାଉ ନ ଥିବାରୁ ବର୍ତ୍ତମାନ ଅଞ୍ଚଳରେ ଭୟାବହ ମରୁଡି ଦେଖାଦେଇଛି। ଏ ନେଇ ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ଶୁକ୍ରବାର ଦିନ ଚାଷୀ ମାନେ ରାସ୍ତାର ଗୁଞ୍ଜିମୁଣ୍ଡା ଛକରେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ତରଭା ତହସିଲଦାର ତୁଳା ମୁଦୁଲି ଉଠା ଜଳସେଚନ ବିଭାଗୀୟ ଯନ୍ତ୍ରୀ ରବିନାରାୟଣ ମେହେର, ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଞ୍ଚି ଚାଷୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ। ମେଗା ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକ୍ଷମ ବେଳେ କାମ ଠିକ ଭାବେ କରାଇବା ପାଇଁ ଚାଷୀମାନେ ଆନ୍ଦୋଳନ କରିଥିବା ବେଳେ ତତ୍କାଳୀନ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପ୍ରକଳ୍ପ ପରିଦର୍ଶନରେ ଆସି ପ୍ରକଳ୍ପ ତ୍ରୁଟିପୂର୍ଣ୍ଣ ଭାବରେ ନିର୍ମାଣ ହୋଇଛି, ପ୍ରକଳ୍ପ ସମ୍ପୂର୍ଣ ଭାବରେ ଫେଲ ବୋଲି ସୂଚନା ଦେଇଥିଲେ। ହେଲେ କେଉଁ କାରଣରୁ ନିର୍ମାଣକାରୀ ସଂସ୍ଥା ପ୍ରତି ଏତେ ଅନୁକମ୍ପା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ପ୍ରକଳ୍ପ ସମସ୍ୟା ନେଇ ଗତ ୧୪ ତାରିଖରେ ତରଭା ବ୍ଲକରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ଯ ଚାଷୀମାନେ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜଣାଇଥିଲେ। ପ୍ରକଳ୍ପ ଫେଲ ବୋଲି ରିପୋର୍ଟ ଦିଆଯାଉ ନଚେତ ଚାଷୀଙ୍କୁ ଜଳ ଯୋଗାଣ କରାଯାଉ ବୋଲି ଚାଷୀମାନେ ଜିଦରେ ଅଟଳ ରହିଛନ୍ତି। ଆନ୍ଦୋଳନରେ ପୂର୍ବତନ ସମିତି ସଭ୍ୟ ତ‌ଥା ଚାଷୀ ନେତା ମିତ୍ରବ୍ରତ ମିଶ୍ର, ସରପଞ୍ଚ ମନମୋହନ ସାହୁ ଓ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଚାଷୀ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ପ୍ରଶାସନିକ ଅଧିକାରୀ ସି ଡି ଇ ଓ ଅଶ୍ଵିନୀ ମେହେର ଓ ବିଭାଗୀୟ ଏସ ଡି ଓ ଆଜି ସ୍ପଟ୍ ପରିଦର୍ଶନ କରି ଫେରିଲା ବେଳେ ମିଡ଼ିଆ ଓ ସଧାରଣ ଲୋକ ଙ୍କ ପ୍ରଶ୍ନ ବାଣ ରେ ଘାଇଲା ହୋଇଥିବା ଝାଳ ନାଳ ହୋଇଥିବା ବିଷୟ ଜିଲ୍ଲା ସାରା ଚର୍ଚ୍ଚା ହେଉଛି l

What's Your Reaction?

like

dislike

love

funny

angry

sad

wow