ଏ-୧ ଓ ଏ-୨ ଗ୍ରେଡ ଓ ଜିଲ୍ଲା ଟପ୍ପରଙ୍କୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନୂଆପଡ଼ା ଆନୁକୂଲ୍ୟରେ ସ୍ଥାନୀୟ ନେସନାଲ ମହାବିଦ୍ୟାଳୟ ନୂଆପଡ଼ା ଠାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ ଓ ଏ-୨ ଗ୍ରେଡ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୂସୁଦନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମାନ୍ୟବର ବିଧାୟକ ନୂଆପଡ଼ା ଜୟ ଭାଇ ଢୋଲକିଆ ମୂଖ୍ୟ ଅତିଥି, ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଶ୍ରୀ ଅମ୍ରୀତ ପାଲ ସିଂ,ଉପ ଜିଲ୍ଲାପାଳ ସୁରମୀ ସୋରେନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡର ଅଧ୍ୟକ୍ଷା ସୋନିଆ ଜୈନ, ନୂଆପଡ଼ା ବ୍ଳକ ଚେୟାରମେନ ତାରେଶ୍ୱରୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡ଼ା ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଓ ଡ଼ଃ ରେଶମଲାଲ ନାଏକ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂଆପଡ଼ା ଶାଖାର ଜେନେରାଲ ମ୍ୟାନେଜର ଲିଙ୍କନ ଦାଶ ଓ ମହାବିଦ୍ୟାଳୟର ପ୍ରାଚାର୍ଯ୍ୟ ହିତେଶ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ସହ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ପୁସ୍ତକ ପଠନ କରିବା ନିହାତି ଆବଶ୍ୟକ ବୋଲି କହିଥିବାବେଳେ ଶ୍ରୀମତୀ ସୋରେନ ପିଲାଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖି ତାକୁ ପୂରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିଧାୟକ ଶ୍ରୀ ଢୋଲକିଆ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଛଳରେ ସଂଘର୍ଷମୟ ଜୀବନରେ ହାର ନ ମାନି ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବାସହ ଜିଲ୍ଲାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୩୧ ହଜାର, ୨୧ ହଜାର ଓ ୧୧ ହଜାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଜିଲ୍ଲାପାଳ ନୂଆପଡ଼ା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ଜୀବନରେ ସରଳ ମଣିଷ ହେବା ସବୁଠୁ କାଠିକର ବୋଲି ଜଣାଇଥିଲେ ଓ ନୂଆପଡ଼ା ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ନୂଆପଡ଼ା ଜିଲ୍ଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା -୨୦୨୬ ରେ ୯୭.୮୭ ପ୍ରତିଶତ ପାସହାର ରଖି ସମଗ୍ର ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଅଛି। ଏଥିରେ ୧୩ ଜଣ ଏ-୧ ଓ ୨୨୬ ଜଣ ଏ-୨ ଗ୍ରେଡ ରଖି ରେକର୍ଡ ସୃଷ୍ଟି କରିଛନ୍ତି । ଉପସ୍ଥିତ ଅତିଥିଙ୍କ ଦ୍ଵାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ଫଳକ, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ନୂଆପଡ଼ା ଜିଲ୍ଲା ୨୦୨୪ ରେ ୩୦ ତମରୁ ୨୦୨୫ ରେ ୧୪କୁ ଉନ୍ନୀତ ହେବା ସହ ୨୦୨୬ ରେ ୬ଷ୍ଠ ସ୍ଥାନରେ ପହଞ୍ଚିବା ପଛରେ ଜିଲ୍ଲାପାଳ ନୂଆପଡ଼ାଙ୍କ ମାର୍ଗଦର୍ଶନରେ ସମଗ୍ର ଜିଲ୍ଲାରେ ଚାଲିଥିବା" ସମ୍ଭାବନା କାର୍ଯ୍ୟକ୍ରମ" ଯେଉଁଥିରେ ସାପ୍ତାହିକ ପରୀକ୍ଷା, ମାସିକ ପରୀକ୍ଷା ଓ ସ୍ୱତନ୍ତ୍ର କୋଚିଂ କ୍ୟାମ୍ପ ଆୟୋଜନ କରିବା ଏବଂ ସର୍ବୋପରି ସମସ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାପାଇଁ ଅଭିପ୍ରେରିତ କରିବା ମୂଖ୍ୟ ବିଷୟ ରହିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡ଼ା ସ୍ୱାଗତ ସମ୍ଭାଷଣ ରଖିଥିବାବେଳେ ଶିକ୍ଷକ ଗୌରାଙ୍ଗ ସାହୁ ମଞ୍ଚ ପରିଚାଳନା ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ- ଶିକ୍ଷୟିତ୍ରୀ, ସାଧନ କର୍ମୀ ସଂଯୋଜକ, ଗୋଷ୍ଠୀ ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷା ନୂଆପଡ଼ାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
What's Your Reaction?