ଜିନେଲଗୁଡା ନିକଟରେ ଗୁଳି ବିନିମୟରେ ଜଣେ ମାଓବାଦୀ ମୃତ ଘଟଣା, ମୃତକ ଜଣଙ୍କ ମାଓବାଦୀ ନୁହନ୍ତି ବୋଲି ଅଭିଯୋଗ

Nov 23, 2024 - 12:03
 0  55
ଜିନେଲଗୁଡା ନିକଟରେ ଗୁଳି ବିନିମୟରେ ଜଣେ ମାଓବାଦୀ ମୃତ ଘଟଣା, ମୃତକ ଜଣଙ୍କ ମାଓବାଦୀ ନୁହନ୍ତି ବୋଲି ଅଭିଯୋଗ

ମାଲକାନଗିରି: ଲୋକ୍ ଆବାଜ୍.ଇନ୍(ଅବଦୁଲ୍ ଗାନି)

ମାଲକାନଗିରି ଜିଲ୍ଲା ଜିନେଲଗୁଡା ଜଙ୍ଗଲରେ ଗତକାଲି ହୋଇଥିବା ନକ୍ସଲ ଏନକାଣ୍ଟରରେ ଆସିଲା ନୁଆ ମୋଡ । ଗତକାଲି ଠାରୁ ପୋଲିସ ଯାହାକୁ ହାଡକୋର ମାଓବାଦୀ ବୋଲି କହୁଥିଲା, ଆଜି ସ୍ଥାନୀୟ ଲୋକେ ତାଙ୍କୁ ଗାଁ ମୁଖିଆ ବୋଲି କହୁଛନ୍ତି। ସୂଚନା ଅନୁଯାୟୀ ଗତକାଲି ଜିଲ୍ଲାର କାଲିମେଳା ବ୍ଲକ ଅଧୀନରେ ଥିବା ଜିନେଲଗୁଡ ନିକଟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ମୃତକ ଜଣଙ୍କ ମାଓବାଦୀ ନୁହନ୍ତି ବୋଲି ଆଜି ଜିଲ୍ଲାର ମେଟାଗୁଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଲୋକଙ୍କ ଅଭିଯୋଗ ଅନୁଯାୟୀ କାଲିମେଳା ବ୍ଲକରେ ଥିବା ମେଟାଗୁଡା ଗାଁର ମୁଖିଆ ଏଙ୍କା ସୁନାମଙ୍କ ପାଖରେ ରହିଛି ଅନେକ ମାଛ ଧରା ଡଙ୍ଗା। ଏହି ସବୁ ଡଙ୍ଗା ସହାୟତାରେ ସାବେରୀ ନଦିରେ ସେ ମାଛ ଧରନ୍ତି। ସେଥିପାଇଁ ୨୦ ତାରିଖ ବିଳମ୍ବିତ ରାତିରେ ମାଓବାଦୀ ମାନେ ଏଙ୍କା ସୁନାମଙ୍କ ଘରକୁ ଆସି ତାଙ୍କୁ ବନ୍ଧୁକ ଦେଖାଇ ଭୟବିତ କରିବା ସହ ଡଙ୍ଗାରେ ସାବେରୀ ନଦୀ ପାରି କରିବାକୁ କହିଥିଲେ। ବାଧ୍ୟ ହୋଇ ଏଙ୍କା ନକ୍ସଲ ପନ୍ଥିଙ୍କୁ ଡଙ୍ଗାରେ ଛାଡିବା ପରେ ସେଠାରେ ଡିଭିଏଫ ଜବାନଙ୍କ ଆଖିବୁଜା ଗୁଳି ଚାଳନା କରିଥିଲେ, ଯେଉଁଥିରେ ଏଙ୍କା ସୁନାମଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଙ୍କା ସୁନାମଙ୍କ ସ୍ତ୍ରୀ, ଭାଇ ଓ ଗାଁ ଲୋକେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଭେଟି ଘଟଣାର ତଦନ୍ତ କରିବା ଲାଗି ଦାବି କରିଛନ୍ତି। ଏହା ସହ ଏଙ୍କା ସୁନାମଙ୍କ ଛୋଟ ଛୋଟ ପିଲା ରହିଥିବା ବେଳେ ପରିବାରକୁ କ୍ଷତିପୂରଣ ଦେବା ଲାଗି ମଧ୍ୟ ଗାଁ ଲୋକେ ଡିଆଇଜିଙ୍କୁ ଦାବି କରିଛନ୍ତି। ତେବେ ଏନେଇ ଗତକାଲି ପୋଲିସ ଡିଜି କିନ୍ତୁ ମୃତକ ଜଣେ ମାଓବାଦୀ ବୋଲି କହିଥିବା ବେଳେ ଆଜି ନିଜ ନାମ ଗୋପନ ରଖି ଜଣେ ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି ଯେ, ମୃତ ଏଙ୍କା ଜଣେ ମାଓ ସହଯୋଗୀ ଥିଲେ, ସେ ମିଲିସିଆ ଭାବରେ କାର୍ଯ୍ୟ କରୁଥିବା ବେଳେ ଗତକାଲି ସେ ମାଓବାଦୀଙ୍କ ସହ ରହିଥିବା ସମୟରେ ଗୁଳି ବିନିମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

What's Your Reaction?

like

dislike

love

funny

angry

sad

wow