ସୁନାବେଡା ଗାତି ବେଡା ଗାଁର ମହିଳା ମାନଙ୍କ ଦ୍ବାରା ବିପୁଳ ପରିମାଣରେ ମଦ ଓ ମଦ ତିଆରି ସରଞ୍ଜାମ ଜବତ।

ନୂଆପଡ଼ା :ଲୋକ ଆବାଜ୍.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଗାତିବେଡା ଗାଁର ମହିଳା ମାନେ ଗାଁ ତଥା ଗାଁ ପରିବେଶକୁ ମଦ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡି ଥିବାବେଳେ ମଦ ମୁକ୍ତ ଆନ୍ଦୋଳନକୁ ପାଦ ପକାଇଛନ୍ତି ।
ଆଜି ଗାତିବେଡା ଗାଁରୁ ପ୍ରଚୁର ପରିମାଣରେ ଦେଶୀ ମଦ ସହ ମଦ ତିଆରି ସରଞ୍ଜାମ ଜବତ କରିଛନ୍ତି । ସୂଚନା ଅନଯାୟୀ ସୁନାବେଡା ଅଭୟାରଣ୍ୟରେ ଦିନକୁ ଦିନ ବେଆଇନ ଦେଶୀ ମଦ ପ୍ରସ୍ତୁତ ଓ ବେପାର ବୃଦ୍ଧି ପାଉଛି । ଏଥି ସହିତ ଆଦିବାସୀ ସମ୍ପ୍ରଦାୟର ମହିଳା ମାନସିକ ଓ ଶାରିରୀକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଗତ କିଛି ବର୍ଷ ହେବ ଉକ୍ତ ଗାଁରେ ବେଆଇନ ଭାବେ ଦେଶୀ ମଦ ବିକ୍ରୟ ବଢିବାରେ ଲାଗିଛି ।
ଅନେକ ଲୋକ ମଦ ତିଆରି କରି ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଛି । ଗାଁର ପୁରୁଷ ଲୋକ ମାନେ ଦିନରାତି ମଦ ପିଇ ନିଶା ଶକ୍ତ ଅବସ୍ଥାରେ ରହୁଛନ୍ତି । ପ୍ରତି ଘରେ ପୁରୁଷ ମାନେ ନିଶା ଶକ୍ତ ଅବସ୍ଥାରେ ଥିବାରୁ ପାରିବାରିକ କଳହ ଲାଗି ରହୁଛି । ଏଥିପ୍ରତି ଗାଁର ସ୍ଵୟଂ ସହାୟିକା ଗୋଷ୍ଠୀର ମାଆ ମାନେ ଏକତ୍ରିତ ହୋଇ ବୈଠକ ରଖି ମଦ ମୁକ୍ତ ଆନ୍ଦୋଳନକୁ ପାଦ ପକାଇଛନ୍ତି । ଗାଁ ଦାଣ୍ଡରେ ମହିଳା ମାନେ ମେଲି ବାନ୍ଧି ଗୋଟାଏ ପରେ ଗୋଟାଏ ପ୍ରାୟ ୧୫ ରୁ ଅଧିକ ଲୋକଙ୍କ ଘରେ ଚଢ଼ାଉ କରି ମଦ ସହ ମଦ ତିଆରି ସରଞ୍ଜାମ ଜବତ କରିଥିଲେ । ମହିଳାମାନେ ସବୁ ଜବତ ସରଞ୍ଜାମକୁ ଏକ ଟ୍ରାକ୍ଟରରେ ଭର୍ତ୍ତି କରି ଗାଁ ସାରା ବୁଲି ବେଆଇନ ମଦ କାରବାର ବନ୍ଦ ପାଇଁ ନାରାବାଜି ଦେଇଥିଲେ ।
ସନ୍ଧ୍ୟାରେ ସବୁ ଜବତ ସରଞ୍ଜାମକୁ ନେଇ ପୋଲିସର ଜିମାରେ ଦେଇଥିଲେ ।ଆଗାମୀ ଦିନରେ ଗାଁକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ମହିଳାଙ୍କୁ ପୋଲିସ ଓ ଅବକାରୀ ବିଭାଗ ତରଫରୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।
What's Your Reaction?






