ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଯୋଗଦେଲେ ନୂଆପଡ଼ା ଡି ଆଇ ପି ଆର୍ ଓ ରମାକାନ୍ତ ବିଶ୍ୱାସ,
ନୂଆପଡ଼ା - ୭-୫ ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ନବନିଯୁକ୍ତ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ପାଇଁ ଭାରତୀୟ ଜନସଂଯୋଗ ସଂସ୍ଥା ଢେଙ୍କାନାଳ ଠାରେ ୧୦ ଦିନିଆ ଇଣ୍ଡକ୍ସନ ଓ ଓରିଏଣ୍ଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୦୫ ମଇରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ୧୯ ଜଣ ଓ ଆଇ ଏସ -୨ ଅଧିକାରୀ ଏହି ପ୍ରଶିକ୍ଷଣରେ ଯୋଗଦେଇଛନ୍ତି । ଏହି ଅଧିକାରୀମାନେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଏହି ପ୍ରଶିକ୍ଷଣରେ ନୂଆପଡ଼ା ଜିଲ୍ଲା ଡି ଆଇ ପି ଆର୍ ଓ ରମାକାନ୍ତ ବିଶ୍ୱାସ ଯୋଗଦାନ କରିଛନ୍ତି । ପ୍ରଶିକ୍ଷଣରେ ସାମ୍ବାଦିକତା, ଜନସଂଯୋଗ, ସରକାରୀ ସୂଚନା ପ୍ରଚାର ପ୍ରଣାଳୀ, ମିଡିଆ ପରିଚାଳନା, ଡିଜିଟାଲ୍ କମ୍ୟୁନିକେସନ୍, ସୋସିଆଲ୍ ମିଡିଆ ବ୍ୟବହାର ଓ କ୍ଷେତ୍ରସ୍ତରୀୟ ସୂଚନା ପ୍ରସାରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ନବନିଯୁକ୍ତ ଅଧିକାରୀମାନଙ୍କର ବୃତ୍ତିଗତ ଦକ୍ଷତା ଓ ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧିରେ ଏହା ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି ।
What's Your Reaction?