ନୂଆପଡା ଜିଲ୍ଲାରେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ l

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲାରେ ଖରିଫ୍ ଋତୁ ୨୪-୨୫ ପାଇଁ ଧାନ ସଂଗ୍ରହ କମିଟି ବୈଠକ ସମ୍ମାନୀୟା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି l ସଭାର ଆବାହକ ଜିଲ୍ଲାପାଳ ମଧୁସୂଦନ ଦାଶ କମିଟି ଅଧ୍ୟକ୍ଷ ଏବଂ ସମ୍ମାନୀୟ ସଦସ୍ୟ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ , ଖରୀଆର ବିଧାୟକ ଅଧୀରାଜ୍ ମୋହନ ପାଣିଗ୍ରାହୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ ଏଵଂ ଉପସ୍ଥିତ ସମସ୍ତ ସଦସ୍ୟ ଓ ଅଧିକାରୀ ମାନଙ୍କୁ ସ୍ଵାଗତ ପୂର୍ବକ ସଭାର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ l ସେ କହିଲେ ଧାନ କ୍ରୟ ସହିତ ଜଡ଼ିତ ସମସ୍ତ ବିଭାଗ ନିଜ ନିଜ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ କୃଷକ ମାନଙ୍କ ବହୁ କଷ୍ଟ ଉପାର୍ଜିତ ଧାନକୁ କିଭଳି ସୁରୁଖୁରୁ ରେ ସରକାର ଙ୍କ ଦ୍ଵାରା କ୍ରୟ କରା ଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବେ l ସମସ୍ତ ଅଧିକାରୀ ଧାନ କ୍ରୟ ସହ ଜଡ଼ିତ ପ୍ରକ୍ରିୟା କୁ ସୁଗମ ସରଳ ଓ ସାବଳୀଳ କରିବାକୁ ପ୍ରଯତ୍ନ କରିବେ l କୌଣସି ପରିସ୍ଥିତିରେ ଚାଷୀ ତାର ଧାନ ବିକିବାରେ କୌଣସି ପ୍ରକାର ସମସ୍ୟା ଯେମିତି ନଭୋଗେ ସେଥି ପ୍ରତି ଯତ୍ନବାନ ହେବାକୁ ସାଂସଦ ଅଧିକାରୀ ଏବଂ ମିଲର ମାନଙ୍କୁ ଚେତାଇ ଦେଇଥିଲେ l ସଭାକୁ ସମ୍ବୋଧନ କରି ଜିଲ୍ଲା ଯୋଗାଣ ଅଧିକାରୀ କହିଲେଯେ ଜିଲ୍ଲାରେ ଏବର୍ଷ ମୋଟ ୩୧ ଟି ମିଲ୍ ଧାନ ସଂଗ୍ରହ କରିବେ l ସେଥିରୁ ୧୭ ଟି ଉଷୁନା ଚାଉଳ ମିଲ ଏଵଂ ୧୪ ଟି ଅରୁଆ ଚାଉଳ ମିଲ ଅଛି l ମୋଟ ୪୬୩୪୬ ଜଣ କୃଷକ ଜିଲ୍ଲାରେ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଛନ୍ତି l ଏବର୍ଷ ଧାନ କ୍ରୟ ୭୬ ଟି ମଣ୍ଡିରେ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ l ଏବର୍ଷ ପାଇଁ କେନ୍ଦ୍ର ସରକାର ସାଧାରଣ ଧାନର ମୂଲ୍ୟ କୁଇଣ୍ଟlଲ୍ ପ୍ରତି ୨୩୦୦ ଟଙ୍କା ଓ ଗ୍ରେଡ ଏ ଧାନ ୨୩୨୦ ଟଙ୍କା ରଖିଛନ୍ତିl ଏହା ଉପରେ ରାଜ୍ୟ ସରକାର ଅଲଗା ବୋନସ ଦେବେ l ଜିଲ୍ଲାପାଳ କହିଲେ ଧାନ କ୍ରୟ ବ୍ୟବସ୍ଥା କୁ ସୁସଂଗଠିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ,ଏପିଡି, ଉପଜିଲ୍ଲାପାଳ ଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠିତ ହେବ ଏଵଂ ସେମାନେ ପ୍ରତି ୧୫ ଦିନରେ ଥରେ ଏହାର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ l ଜିଲ୍ଲା ଭିତରୁ ବାହାର ରାଜ୍ୟ କୁ ଧାନ ଯାଇ ଆସି ନପାରିବା ଉପରେ ତୀକ୍ଷ୍ଣ ନଜର ରଖାଯିବ l ବିଧାୟକ ମାନେ କହିଲେଯେ କୌଣସି ପରିସ୍ଥିତିରେ ମିଲର୍ ମାନଂକ ଦ୍ଵାରା ଅନ୍ୟାୟ କଟନି ଛଟନି ଓ ଚାଷୀ ହଇରାଣକୁ ବରଦାସ୍ତ କରାଯିବ ନାହିଁ l ମିଲର୍ ମାନେ କହିଲେ ଦିର୍ଘ ବର୍ଷ ଧରି ସେମାନଙ୍କ ଚାଉଳ ପ୍ରୋସେଶିଂ ଫିଜ୍ କୁଇଣ୍ଟାଲ୍ ପ୍ରତି ମାତ୍ର କୋଡ଼ିଏ ଟଙ୍କା ଅଛି ଯାହାକୁ ବୃଦ୍ଧି କରାଯିବା ଅତ୍ୟନ୍ତ ଆବଶ୍ୟକ l ଉପସ୍ଥିତ କୃଷକ ନେତା ମାନେ କୃଷକ ମାନଂକ ଦ୍ଵାରା ଧାନ ବିକ୍ରୀ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ଵନ୍ଧରେ ଜଣାଇଥିଲେ l ଆଜିର ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର, ପାକ୍ସ କର୍ମଚାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଯୋଗ ଦେଇଥିଲେ l ବାରମ୍ବାର ତଦନ୍ତ ତଦାରଖ ଓ ତନଖି ମାଧ୍ୟମରେ ଧାନ କ୍ରୟ ସହିତ ଜଡିତ ସମସ୍ତ ଅଧିକାରୀ ନିଜ ନିଜ କର୍ତ୍ତବ୍ୟ ସୂଚାରୁ ରୁପେ ସମ୍ପାଦନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
What's Your Reaction?






