ଅଙ୍ଗନୱାଡ଼ି ଦିଦି ମାନଙ୍କ ରାମ କାଠି ଦଳର ଉଦଘାଟନ ଉତ୍ସବ

ଅଙ୍ଗନୱାଡ଼ି ଦିଦି ମାନଙ୍କ ରାମ କାଠି ଦଳର ଉଦଘାଟନ ଉତ୍ସବ
ବୋଡ଼େନ: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)
ନିଜ କର୍ମମୟ ଜୀବନ ଓ ପାରିବାରିକ ଜଞ୍ଜାଳ ମଧ୍ୟରୁ ସମୟ ବାହାର କରି ଅଙ୍ଗନୱାଡ଼ି ଦିଦିମାନେ କଳାର ପୁନଃରୁଦ୍ଧାର ନିମିତ୍ତ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଫରସରା ଗ୍ରାମରେ ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦର ସଭାପତି ତ୍ରିମନ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ରାମକାଠି ଦଳର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ମାଝୀ,ମୁଖ୍ୟବକ୍ତା ଭାବେ ରବୀନ୍ଦ୍ର କୁମ୍ଭାର ଆଇନଜୀବି ଖରୀଆର,ବିଶିଷ୍ଟ ଅତିଥି ଭାବରେ ତ୍ରିନାଥ ତାଣ୍ଡି ବି ଏଲ ସି ଖରୀଆର,ସମ୍ମାନିତ ଅତିଥି ରୂପେ ଶିକ୍ଷକ ଉମାକାନ୍ତ ବାଗ, ଶିକ୍ଷକ ଦୁଷ୍ମନ୍ତ ଧରୁଆ,ଅଙ୍ଗନୱାଡ଼ି କର୍ମୀ ପଦ୍ମିନୀ ନାଗ ଓ ରୁକ୍ମଣୀ ଧରୁଆ ଏବଂ ଲକ୍ଷ୍ମୀ ହଂସ ମଞ୍ଚାସିନ ଥିଲେ ।ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହିତ ପ୍ରାଚୀନ କଳା,ଲୋକ ନୃତ୍ୟ,ଲୋକ ସଙ୍ଗୀତକୁ ଲୋକ ଲୋଚନକୁ ଆଣିବା ପାଇଁ ତ୍ରିମନ୍ ମାଝୀଙ୍କ ପ୍ରୟାସ ରେ ଅଙ୍ଗନୱାଡ଼ି ଦିଦିମାନେ ମଧ୍ୟ ଅନୁପ୍ରାଣିତ ହୋଇଛନ୍ତି ।ରାମ କାଠି ଏକ ଏମିତି ନୃତ୍ୟ ଯାହାକି ଆଦିବାସୀଙ୍କ ବିବାହ ବନ୍ଧନ,ମାଙ୍ଗଳିକ କାର୍ଯ୍ୟ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସାଙ୍ଗକୁ କ୍ଳାନ୍ତ ଜୀବନରେ ଆନନ୍ଦ ଭରିଦେଇଥାଏ ।ଏହି ରାମ କାଠି ନାମକ ଲୋକ ନୃତ୍ୟ ବହୁ ବର୍ଷ ପୂର୍ବେ ଦେଖିବାକୁ ମିଳୁଥିଲା କିନ୍ତୁ ତାହା ଧୀରେ ଧୀରେ ଲୁପ୍ତ ହୋଇଯାଇଛି କିନ୍ତୁ ତ୍ରିମନ ମାଝୀଙ୍କ ନେତୃତ୍ବ ଓ ପ୍ରୟାସ ବଳରେ ବର୍ତ୍ତମାନ ବୋଡ଼େନ ବ୍ଲକରେ ୧୭ ଟି ଦଳ ଗଠନ ହୋଇ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ତଥା ଉତ୍ସବରେ ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଚାଲିଛନ୍ତି ।ବାସ୍ତବରେ ଏହି ଲୋକ ନୃତ୍ୟ ରାମକାଠି ପରିବେଷଣ ସହିତ
ପୁରାତନ ମହୁରୀ ବାଜାର ମଧ୍ୟ ପୁନରୁଦ୍ଧାର ହୋଇପାରୁଛି ଏବଂ ନୃତ୍ୟ ମଧ୍ୟରେ କୁମାରୀ ବ୍ରତ ଉପସ୍ଥାପନ କରି ଲୋକ ନୃତ୍ୟକୁ ଉଜ୍ଜୀବିତ କରିବା ସହ ଲୋକଙ୍କ ମନରେ ଶାନ୍ତି ପ୍ରଦାନ କରିବାରେ ଏହି ରାମକାଠି ମୁଖ୍ୟ ଭୂମିକା ଗ୍ରହଣ କରିପାରିଛି ।ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ସମସ୍ତ କଳାର ଗୁଣ ଗାନ କରି କଳାକାର ଓ କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଥିବା ତ୍ରିମନ ମାଝୀ ସମେତ ସମସ୍ତ କଳାକାର ମାନଙ୍କ ଉତ୍ତରୋତ୍ତର କାମନା କରିଛନ୍ତି ।କଳାକାର ମାନଙ୍କ ଦ୍ବାରା ଲୁକ୍କାୟିତ କଳାର ପ୍ରଦର୍ଶନ ତଥା ଉଜ୍ଜୀବିତ କରାଇବାର ବିଭିନ୍ନ ବିଷୟ ବସ୍ତୁ ଏବଂ ସମାଜର ପ୍ରତ୍ୟେକ ସମସ୍ୟାକୁ ଉଭୟ ସରକାର ତଥା ଲୋକଙ୍କ ପାଖକୁ ପହଞ୍ଚାଉଥିବା ଦୃଷ୍ଟିକୋଣରୁ ସାମ୍ବାଦିକ ସୁଶାନ୍ତ କୁମାର ପାଣିଗ୍ରାହୀ,ସାମ୍ବାଦିକ ରାମନାଥ ପଣ୍ଡା,ସାମ୍ବାଦିକ ମନୋଜ ଖମାରୀ ଓ ସାମ୍ବାଦିକ ଭୁବନେଶ୍ଵର ପାଣ୍ଡେଙ୍କୁ ଆଜି ସମ୍ମାନିତ କରାଯାଇଥିଲା। ରାମ କାଠି ଗାୟକ ବିଜୟ କୁମାର ବଘେଲ ସୁନ୍ଦର ଶବ୍ଦ ସଂଯୋଜନା ମାଧ୍ୟମରେ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ସାମ୍ବାଦିକ ମନୋଜ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
What's Your Reaction?






