ବିପୁଳ କେନ୍ଦୁ କାଠ ଜବତ ଘଟଣା, ତଥ୍ୟ ଦେଉ ନାହାନ୍ତି ଅଧିକାରୀ, ଡିଲ ହେଉଥିବା ଆଶଙ୍କା

Oct 21, 2024 - 09:50
 0  44
ବିପୁଳ କେନ୍ଦୁ କାଠ ଜବତ ଘଟଣା, ତଥ୍ୟ ଦେଉ ନାହାନ୍ତି ଅଧିକାରୀ, ଡିଲ ହେଉଥିବା ଆଶଙ୍କା

କଣ୍ଟାମାଳ: ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକ୍ସନ ଅନ୍ତର୍ଗତ ଲଣ୍ଡାବାହାଲ ଗ୍ରାମ ନିକଟରୁ ଗତ ଶନିବାର ମଧ୍ୟାହ୍ନରେ ବନ ବିଭାଗ କର୍ମଚାରୀ ମାନେ ବିପୁଳ ପରିମାଣର କେନ୍ଦୁଗଣ୍ଡି ଜବତ କରିଥିଲେ ।ହେଲେ କେତେ ପରିମାଣର କେନ୍ଦୁଗଣ୍ଡି ଜବତ ହୋଇଛି ଏବଂ କାହାକୁ ଗିରଫ କରାଯାଇଛି ତାହା ଆଜକୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ତଦନ୍ତ ଚାଲିଥିବା କହି କୌଣସି ତଥ୍ୟ ଦେଉ ନାହାନ୍ତି ।ଯାହା ଫଜରେ ବନବିଭାଗର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ନେଇ ଅନେକ ସମାଲୋଚନା ଆରମ୍ଭ ହୋଇଥିବା ବେଳେ ନାନା ପ୍ରଶ୍ନ ଉଙ୍କି ମାରୁଛି ।ବନ ବିଭାଗର ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କଲେଣି ଅଞ୍ଚଳବାସୀ ।କଣ୍ଟାମାଳ ବନବିଭାଗ ପାଇଁ କାଠ ଚୋରାଚାଲାଣ ନୂଆ କଥା ନୁହେଁ ।ପୂର୍ବରୁ ଏଭଳି କାଠ ଚୋରାଚାଲାଣର ଅନେକ ନଜିର ରହିଛି । ସୂଚନା ଅନୁସାରେ, ଗତ କିଛି ମାସ ପୂର୍ବେ ବନବିଭାଗ ଏକ କାଠ ଚୋରାଚାଲାଣ ଘଟଣାରେ ଟ୍ରାକ୍ଟର, ଏକ ହାଇଡ୍ରା ଆଦି ଜବତ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ କାଠ ମାଫିଆ ସହ ଲକ୍ଷାଧିକ ଟଙ୍କାର ଡ଼ିଲ କରି ଛାଡ଼ି ଦେଇଥିବା ନଜିର ରହିଛି ।ଘଣ୍ଟାପଡ଼ା ସେକ୍ସନ ଅଞ୍ଚଳର ସୂର୍କାଭଟା , ଲଣ୍ଡାବାହାଲ ଆଦି ଅଞ୍ଚଳରେ ବିପୁଳ ପରିମାଣର କେନ୍ଦୁଗଣ୍ଡି କଟାଯାଇ ଶୁଖାଯାଇଥିଲା । ଉକ୍ତ କାଠ ସବୁ ଡିପୋକୁ ନିଆଯିବ ବୋଲି କହି ବନବିଭାଗ ସ୍ଥାନୀୟ ଲୋକଙ୍କୁ ଅନ୍ଧାରରେ ରଖୁଥିଲା ।ଯାହା ଫଳରେ ସ୍ଥାନୀୟ ଲୋକେ ଏହାକୁ ଗୁରୁତ୍ୱ ସହ ଗ୍ରହଣ କରି ନ ଥିଲେ ।ଏହାକୁ ବନ ବିଭାଗ ବିକ୍ରୀ ପାଇଁ ଯୋଜନା ଚଳାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।କାଠ ଚୋରାଚାଲାଣ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବନବିଭାଗ ପକ୍ଷରୁ ଲଣ୍ଡାବାହାଲ ଗ୍ରାମରେ ଚଢ଼ାଉ କରି ଶତାଧିକ କାଠ ଗଣ୍ଡି ଜବତ୍ କରିଛି ।ହେଲେ ଧର୍ମକୁ ଆଖି ଠାର ସଦୃଶ ଉକ୍ତ କାଠ ସବୁ ଜବତ କରାଯାଇଥିବା ବେଳେ କେଉଁଠି ଅଛି, କେତେ ପରିମାଣର ଜବତ୍ ହୋଇଛି ଓ ଘଟଣାରେ କାହାକୁ ଗିରଫ କରାଯାଇଛି ଆଜକୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ବନ ବିଭାଗ ଏହାର ସ୍ପଷ୍ଟ ଉତ୍ତର ଦେଇ ପାରି ନାହିଁ । ଅନ୍ୟପଟେ ଏତେ ପରିମାଣର କାଠ ସବୁ ଜବତ୍ ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳର ବନପାଳ , ବନରକ୍ଷୀ ଓ ବନ କର୍ମଚାରୀ କଣ କରୁଥିଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ବନ ବିଭାଗର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଭାଗର କାଠଚାଲାଣ ପ୍ରୀତି ସ୍ପଷ୍ଟ ବାରି ହେଉଛି । ଘଟଣା ସମ୍ପର୍କରେ କଣ୍ଟାମାଳ ରେଞ୍ଜର କ୍ଷିରାଦ୍ରୀ ପ୍ରଧାନଙ୍କୁ ପଚାରିବାରୁ ଛତିଶଗଡ଼ ର କାଗଜପତ୍ର ଦେଖାଉଥିବାରୁ ତଦନ୍ତ ବିଳମ୍ବ ହେଉଥିବା କହୁଥିବା ବେଳେ, ବୌଦ୍ଧ ଡିଏଫଓ ଘଟଣା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ସଫେଇ ଦେଇଥିଲେ । ତେବେ ଜଙ୍ଗଲକୁ ବନ ବିଭାଗ ସୁରକ୍ଷା ଦେବା ପରିବର୍ତ୍ତେ ଧ୍ଵଂସ କରିବାରେ ପ୍ରମୁଖ ଭୂମିକା ଥିବାରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହୋଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

What's Your Reaction?

like

dislike

love

funny

angry

sad

wow