ହାଇୱା ଧକ୍କା ରେ ନାବାଳକ ପୁଅ ମୃତ,ବାପା ଗୁରୁତର, କ୍ଷତିପୂରଣ ଦାବି ରେ ୨୫ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଲା।

କୋକସରା,: ଲୋକ ଆବାଜ୍.ଇନ୍(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ)
ରବିବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡହଗାଁ ହାଇସ୍କୁଲ ନିକଟରେ ଧର୍ମଗଡ଼ ବ୍ଳକ ଶାଗବେହେଲି ଗ୍ରାମ ର ହୃଷୀକେଶ ନାଏକ(୩୬) ଓ ୬ ବର୍ଷ ର ନାବାଳକ ପୁଅ କ୍ଷୀରୋଦ ନାଏକ ଏକ ବାଇକ ରେ ଡଙ୍ଗରିଗୁଡା ନିଜ ଶ୍ୱଶୁର ଘର କୁ ଆସୁଥିବା ବେଳେ ଡ଼ହଗାଁ ହାଇସ୍କୁଲ ଛକ ନିକଟରେ ଏକ ହାଇୱା ଧକ୍କା ଦେଇ ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ବାପା ସାମ୍ନାରେ ନାବାଳକ ପୁଅ ର ଶୋଚନୀୟ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ବାପା ଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବାରୁ ଚିକିତ୍ସା ପାଇଁ ଭବାନୀପାଟଣା ରୁ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟା ରୁ ଦୁର୍ଘଟଣା ଘଟିବା ପରେ ମୃତକ ଙ୍କ ପରିବାର ଓ ପରିଜନ ମାନେ କ୍ଷତିପୂରଣ ଦାବି ଓ ଦୁର୍ଘଟଣା ଘଟାଇ ଥିବା ହାଇୱା ଗାଡି କୁ ଧରିବା ଦାବି ରେ ମୃତ ନାବାଳକ ର ଶବ କୁ ରାସ୍ତା ରେ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ନିଜ ଜିଦ ରେ ରହି ଶୀତ କାକର ରେ ରାସ୍ତା ଅବରୋଧ ଜାରି ରଖିଥିଲେ। ସୋମବାର ସକାଳ ରେ ଦଣ୍ଡପାଟ ଅଞ୍ଚଳ ର ନେତା ଦିଗାମ୍ବର ଦୁରିଆ,ପ୍ରଶାନ୍ତ ତିବାରି, ରାଜମିସ୍ତ୍ରୀ ସଙ୍ଘ ର କର୍ମକର୍ତ୍ତା ମାନେ ପହଞ୍ଚି ପରିବାର ଲୋକ ଙ୍କ ସହ ଧାରଣା ରେ ବସି ଘଟଣାସ୍ଥଳରେ ଉପସ୍ଥିତ ଥିବା କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା,ଆଇଆଇସି କୋକସରା ସ୍ନିଗ୍ଧାରାଣୀ ସୁନା ଙ୍କ ସହ ଆଲୋଚନା କରିଥିଲେ। ତେବେ ପୁଲିସ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ହାଇୱା ଓ ଡ୍ରାଇଭର କୁ ଅଟକ ରଖାଯାଇଛି ଓ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ମାନେ କହିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ସନ୍ଧ୍ୟାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତି ରେ ପୁଣିଥରେ ଆଲୋଚନା କରିଥିଲେ। ହାଇୱା ଗାଡି ମାଲିକ ୧ ଲକ୍ଷ ୫୦ ହଜାର, ରେଡ଼ କ୍ରସ ପକ୍ଷରୁ ୩୦ ହଜାର ଓ ବ୍ଲକ ଉପାଧ୍ୟକ୍ଷ ଙ୍କ ପକ୍ଷରୁ ୨୦ ହଜାର ମୋଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପରେ ୨୫ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା।
What's Your Reaction?






