ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଆମପାଣି ଠାରେ ଜାତୀୟ ରାଜପଥ ଅବରୋଧ ଓ ଫରେଷ୍ଟ ଅଫିସରେ ତାଲା

Nov 7, 2024 - 21:28
 0  7
ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ  ଆମପାଣି ଠାରେ ଜାତୀୟ ରାଜପଥ ଅବରୋଧ ଓ ଫରେଷ୍ଟ ଅଫିସରେ ତାଲା

କଳାହାଣ୍ଡି ୭/୧୧ ଲୋକ ଆବାଜ.ଇନ୍, (ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

‘ଜାନ ଯାଉ ଜୀବନ ଯାଉ, ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ’ ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ କୋକସରା ବ୍ଲକ ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ କୁ ଦିନ ପ୍ରାୟ ୧୧ ଘଣ୍ଟା ସମୟରୁ ଅବରୋଧ କରିଥିଲେ । ଏଥି ସହ ଆମପାଣି ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ତାଲାବନ୍ଦ କରି ଜଙ୍ଗଲ ସୁରକ୍ଷା କମିଟିର ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ପ୍ରତିବାଦ ସହ ରାସ୍ତା ଅବରୋଧ କରିଥିଲେ ।

ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ ମଧ୍ୟରେ ଗାଡି ଚଳାଚଳ ଠପ ହୋଇଥିଲା ଓ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକ ରହିବା ସହ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ପୂର୍ବରୁ ମଧ୍ୟ ଧର୍ମଗଡ ବନାଞ୍ଚଳର ରେଞ୍ଜ ଅଫିସର ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ୨୦୨୧ ରେ ଜଙ୍ଗଲ ସୁରକ୍ଷା ପାଇଁ ଦୁଇ ଜିଲ୍ଲା ପ୍ରଶାସନ ଶାନ୍ତି କମିଟିର ନିଷ୍ପତ୍ତିର ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜଙ୍ଗଲ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ନହେବା, ଅବାଧ ମକାଚାଷ, ଜଙ୍ଗଲରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ, ନୂତନ ଜଙ୍ଗଲ ସୃଷ୍ଟି ନାଁ ରେ ବନିକରଣରେ ଦୁର୍ନୀତି କରି ଜଙ୍ଗଲ ଅଧିକାରୀଙ୍କ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଓ ପର୍ଯ୍ୟଟନ ସ୍ଥଳୀ ପାଇଁ ଆସିଥିବା ଅନୁଦାନର ବାଟ ମାରଣା ନେଇ ଅଭିଯୋଗ ନେଇ ଗୁରୁବାର ଆମପାଣି ଫରେଷ୍ଟ ସେକ୍ସନର କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଓ ପୋଲିସ କର୍ମଚାରୀ ସହ ଆଇ.ଆର.ବି ଯବାନ ମାନେ ପହଞ୍ଚି ଆନ୍ଦୋଲନକାରୀଙ୍କ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିବା ପାଇଁ ଆଲୋଚନା କରିଥିଲେ। ତେବେ ଜିଲ୍ଲା ସ୍ତରୀୟ ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀ ନିଜ ଜିଦରେ ଅଡି ବସିଥିଲେ । ପରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରେ ବସିଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରାସ୍ତା ଅବରୋଧରୁ ହଟିବା ପାଇଁ ଆଲୋଚନା ସହ ଜଙ୍ଗଲ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ ଘଣ୍ଟା ସମୟ ଦେଇ ରାସ୍ତା ଅବରୋଧ ହଟାଇ ଥିଲେ। ପରେ ଘଟଣାସ୍ଥଳରେ ଡେପୁଟି ଜିଲ୍ଲାପାଳ ଚିତ୍ତରଞ୍ଜନ ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ ପହଞ୍ଚି ଆନ୍ଦୋଳନରେ ବସିଥିବା ଜଙ୍ଗଲ ସୁରକ୍ଷା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲର ସୁରକ୍ଷା ନେଇ ପ୍ରତିଶୃତି, ଅବାଧ ମକାଚାଷ ଓ ଅନାଧିକୃତ ଭାବେ ଜଙ୍ଗଲରେ ରହି ଜଙ୍ଗଲକୁ କାଟି ମକାଚାଷ କରୁଥିବା ସୀମାନ୍ତ ଜିଲ୍ଲାର ଲୋକଙ୍କ ଉପରେ କଳାହାଣ୍ଡି ଜିଲ୍ଲା ଜଙ୍ଗଲ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ପରେ ସାହାଜଖୋଲ ବନ ସୁରକ୍ଷା କମିଟି ରାସ୍ତା ଅବରୋଧରୁ ହଟିବା ସହ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। ଏହି ଆନ୍ଦୋଳନରେ ବନ ସୁରକ୍ଷା ମହାସଂଘର ସଭାପତି ହେମନ୍ତ କୁମାର ମାଝୀ, ଉପ ସଭାପତି ତ୍ରିନାଥ ପୋଟା, କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା, ସମ୍ପାଦକ ଭଜମନ ନାଏକ, ସହ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ନାଏକ, ସାଙ୍ଗଠାନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠାନିକ ସମ୍ପାଦିକା ହେମାଙ୍ଗିନି ହଂସ, କୋଷାଧ୍ୟକ୍ଷ ଭୁଜବଲ ସୋରି ପ୍ରମୁଖ କର୍ମକର୍ତ୍ତାଙ୍କ ସହ ଯୀତେନ୍ଦ୍ର କୁମାର ପଣ୍ଡା, ସୁଧୀର ଚନ୍ଦ୍ର ବାଗ, ପରି କ୍ଷୀତ ବେଶ୍ରା, ମଧୁବନ ପାତ୍ର, ମହିମା ସରପଞ୍ଚ ଇଶରାମ କୋଲଥିଆ, ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ହିମାଞ୍ଚଳ ପୁଝାରି, ହରିଶ୍ଚନ୍ଦ୍ର ନାଏକ, ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, ପାର୍ଥବ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ଯଦୁମଣି ଦୁର୍ଗା, ଲକ୍ଷ୍ମଣ ଗୋପାଳ, ମନୋରଞ୍ଜନ ବାଣୁଆ, ଧର୍ମାନନ୍ଦ ନାଏକ, ପଦ୍ମନ ଚଲାନ, ସମେତ ୫୨ ଟି ବନ ସୁରକ୍ଷା ସମିତିର ଶତାଧିକ କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଥିଲେ।

What's Your Reaction?

like

dislike

love

funny

angry

sad

wow