ପ୍ୟାକ୍ସରେ କୃଷି ଋଣ ଜାଲିଆତିରେ ତତ୍କାଳୀନ ସରକାର ଏବଂ ପ୍ୟାକ୍ସ କର୍ମଚାରୀ ଜଡିତ.........ବିକଳାଙ୍ଗ ଓ ଭୁତ ଙ୍କ ଟଙ୍କା ଖାଇବାରେ ମାହିର ଥିଲା ବିଜେଡି ............ତଦନ୍ତ ଦାବୀ କଲା ବିଜେପି କୃଷକ ମୋର୍ଚ୍ଚା

ସୁବର୍ଣ୍ଣପୁର:ଲୋକ ଆବାଜ.ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପୁଆ ପ୍ୟାକ୍ସରେ କୃଷି ଋଣ ଜାଲିଆତିରେ ତତ୍କାଳୀନ ବିଜେଡି ସରକାର ଏବଂ ପ୍ୟାକ୍ସ କର୍ମଚାରୀ ଜଡିତ ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସର୍କିଟ ହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯିବା ସହ ଏହାର ତଦନ୍ତ ଦାବି କରାଯାଇଛି । ପୁଆ ପ୍ୟାକ୍ସରେ କୃଷି ଋଣ ଜାଲିଆତି ହୋଇଥିବା ଅଭିଯୋଗ ମିଳିବା ପରେ ମଙ୍ଗଳବାର ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ପୁଆ ପ୍ୟାକ୍ସରେ ଶତାଧିକ ଚାଷୀଙ୍କ ନାମରେ ଋଣ ଜାଲିଆତି କରାଯାଇ ଉଠାଣ ହୋଇଥିବା କ୍ଷେତ୍ର ପରିଦର୍ଶନରେ ଜଣାପଡିଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଗତ କାଲି ସୂଚନା ଦିଆଯାଇଛି । ପୁଆ ଗ୍ରାମର ଗରିବ ସାହୁ ୨୦୨୩ରେ ମୃତ୍ୟୁ ବରଣ କରି ସାରି ଥିବାବେଳେ ତାଙ୍କ ନାମରେ ୨୦୨୪ରେ ୯୪ ହଜାର ୫୦୦ ଟଙ୍କା ଜାଲିଆତି କରି ଋଣ ଉଠାଯାଇଥିବା ସୂଚନା ଦିଆଯାଇଛି । ସେହିପରି ପୁଆ ଗ୍ରାମର ଜଣେ ଦିବ୍ୟାଙ୍ଗ ରାଜୁ ପ୍ରଧାନଙ୍କ ନାମରେ ୨୦୧୯ରେ ୫୦ ହଜାର ଟଙ୍କା କୃଷି ଋଣ ମଞ୍ଜୁର ହୋଇଥିବାବେଳେ ତାଙ୍କୁ ପ୍ୟାକ୍ସ କର୍ତୃପକ୍ଷ ମାତ୍ର ୨୦ ହଜାର ଟଙ୍କା ଏବଂ ୮ ବସ୍ତା ସାର ଦେଇଥିବା କ୍ଷେତ୍ର ପରିଦର୍ଶନ ସମୟରେ ଜଣା ପଡ଼ିଥିବା ସୂଚନା ଦିଆଯାଇଛି । ଏପରିକି ଦିବ୍ୟାଙ୍ଗ ରାଜୁ ତାଙ୍କ ନାମରେ ୧ ଲକ୍ଷ ୬୯ ହଜାର ଟଙ୍କା ଋଣ ହୋଇଥିବା ନେଇ ଗତ ଅଗଷ୍ଟ ୨୮ ତାରିଖରେ ଜାଣିବାକୁ ପାଇଥିଲେ । ଏସମ୍ପର୍କରେ ଚାଷୀମାନେ ଗତ ୩ ତାରିଖରୁ ଜିଲ୍ଲାପାଳ ଏବଂ ଡିଆରସିଏସଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଥିବାରୁ ତଦନ୍ତ ଯେତିକି ଆଗେଇବା କଥା ଆଗେଇ ନାହିଁ ବୋଲି ଅଭିଯୋଗ କରିଛି ବିଜେପି କୃଷକ ମୋର୍ଚ୍ଚା । କ୍ଷେତ୍ର ପରିଦର୍ଶନ ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଥିବା ସୂଚନା ଦିଆଯାଇଛି । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ଡବଲ ଇଞ୍ଜିନ ସରକାର ତାର ପ୍ରତିଶୃତି ପାଳନ କରିଛି । ଚଳିତ ଖରିଫ ଧାନ କ୍ରୟ ସମୟରୁ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ଚାଷୀଙ୍କୁ ମିଳିବ ବୋଲି ସୂଚନା ଦିଆଯାଇଛି । ପୁଆ ପ୍ୟାକ୍ସ ଘଟଣା ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରି ଜିଲ୍ଲା ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ,ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ପୁଲିନ ପୁହାଣ,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ମଧୁସୂଦନ ଶର୍ମା, ଅଶୋକ ପୃଷ୍ଟି ପ୍ରମୁଖ ସୂଚନା ଦେଇଥିଲେ ।
What's Your Reaction?






