ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ

Aug 5, 2026 - 09:43
Aug 5, 2026 - 09:44
 0  21
ଲାଞ୍ଚ ଗ୍ରହଣ ଅଭିଯୋଗରେ  ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ

ନୂଆପଡ଼ା, ତା. ୦୫/୦୮: ଲୋକ ଆବାଜ୍. ଇନ୍ ରାମନାଥ ପଣ୍ଡା ଙ୍କ ରିପୋର୍ଟ୍)

 ଦୁର୍ନୀତି ପ୍ରତି ନୂଆପଡ଼ା ଜିଲ୍ଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲ୍ଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିବା ଅଭିଯୋଗରେ ଖଡ଼ିଆଳ ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ୱ ସହାୟକ ମୋହନ ବାଗଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଇଛି।

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ ମୋହନ ବାଗ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିବା ଅଭିଯୋଗ ଉଠିଥିଲା। ଏହି ଘଟଣା ସମ୍ପର୍କରେ ଖଡ଼ିଆଳ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-କମ୍-ନିର୍ବାହୀ ଅଧିକାରୀଙ୍କ ପୃଥକ ରିପୋର୍ଟ ଆଧାରରେ ତୁରନ୍ତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଅଭିଯୋଗର ଗୁରୁତ୍ୱକୁ ବିଚାରକୁ ନେଇ ଏବଂ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବିତ ଥିବାରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଶ୍ରେଣୀକରଣ, ନିୟନ୍ତ୍ରଣ ଓ ଅପିଲ୍) ନିୟମାବଳୀ, ୧୯୬୨ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି।ନିଲମ୍ବନ ଅବଧିରେ ତାଙ୍କର ମୁଖ୍ୟାଳୟ ସିନାପାଲି ତହସିଲ କାର୍ଯ୍ୟାଳୟରେ ନିର୍ଦ୍ଧାରଣ କରାଯାଇଛି। ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବାନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଜିଲ୍ଲାପାଳ ମଧୁସୂଦନ ଦାଶ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଦୁର୍ନୀତି ପ୍ରତି ସମ୍ପୂର୍ଣ୍ଣ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି। ସରକାରୀ କାର୍ଯ୍ୟରେ ଦୁର୍ନୀତି, ଅନିୟମିତତା କିମ୍ବା କ୍ଷମତାର ଅପବ୍ୟବହାରକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ। ଏଭଳି ଅଭିଯୋଗ ସାମ୍ନାକୁ ଆସିଲେ ନିୟମାନୁସାରେ ତ୍ୱରିତ ଓ କଠୋର ପଦକ୍ଷେପ ଗ୍ରହଣ କରାଯିବ।

What's Your Reaction?

like

dislike

love

funny

angry

sad

wow