‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ ପାଇଁ ପ୍ରସ୍ତୁତି ବୈଠକ , ଜିଲ୍ଲାର ୬୫୬ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ହେବେ ପୁରସ୍କୃତ

Aug 22, 2024 - 16:49
 0  16
‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ ପାଇଁ ପ୍ରସ୍ତୁତି ବୈଠକ ,  ଜିଲ୍ଲାର ୬୫୬ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ହେବେ ପୁରସ୍କୃତ

ସୁବର୍ଣ୍ଣପୁର : ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :

ସେପ୍ଟେମ୍ବର ୫ ତାରିଖ ତଥା ପବିତ୍ର ଗୁରୁ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟ ଓ ଜିଲ୍ଲାସ୍ତରରେ ପାଳନ କରାଯିବାକୁ ଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ' କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜନ ଓ ପରିଚାଳନା କୁ ସୁବ୍ୟବସ୍ଥିତ ଭାବେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସଭାଗୃହରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସଂପୃକ୍ତ ଶିକ୍ଷା ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ନିମନ୍ତେ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାରେ ୬୫୬ ଜଣରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ପୁନଶ୍ଚ ଏହି ପରିପ୍ରେକ୍ଷୀ ରେ ଜିଲ୍ଲାର ୨୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତି ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ଜିଲ୍ଲାସ୍ତରରେ ଏହି ପୁରସ୍କାର ରାଶି ୧୦ ହଜାର ଟଙ୍କା, ବ୍ଲକ୍‌ସ୍ତରରେ ୫ ହଜାର ଓ ମେରିଟ୍ ସ୍କଲାରସିପ୍ ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲା ସ୍ତରରେ ପୂର୍ବାହ୍ଣ ୧୦ ଟାରେ ଆରମ୍ଭ ହେବ ଏବଂ ମଧ୍ୟାହ୍ନ ୧୨ ଘଟିକାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାସ୍ତରରେ ପ୍ରସାରଣ କରାଯିବ। ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷା ଫଳାଫଳ ଆଧାରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ଓଡ଼ିଆ ଭାଷା ସାହିତ୍ୟରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ନମ୍ବର ରଖିଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତି ପୁରସ୍କାର ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ସ୍ଥାନ ନିରୂପଣ, ଶାନ୍ତିଙ୍ଖଳାର ସହିତ ପରିଚାଳନା ତଥା ଶୁଙ୍ଖଳିତ ଗମନା ଗମନ ପାଇଁ ପୋଲିସ ପ୍ରଶାସନ ର ସହଯୋଗ, ଛାତ୍ର ଛାତ୍ରୀ ତଥା ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଯିବା ଆସିବା ପାଇଁ ଆରଟିଓ ଙ୍କ ମାଧ୍ୟମ ରେ ଯାନ ଯୋଗାଣ, ଆବଶ୍ୟକ ଶୌଚାଳୟ ଓ  ପାନୀୟଜଳ ଆଦି ବ୍ୟବସ୍ଥା ସହ ଆନୁସଙ୍ଗିକ ବ୍ୟବସ୍ଥା ସମ୍ବନ୍ଧରେ ବିଚାର ବିମର୍ଷ କରାଯାଇ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ,ବ୍ୟବସ୍ଥିତ ତଥା ସୁଚାରୁରୂପେ ସମ୍ପାଦନ ପାଇଁ ଅଧ୍ୟକ୍ଷ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମେହେର ବୈଠକରେ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।

What's Your Reaction?

like

dislike

love

funny

angry

sad

wow