ଅପହଞ୍ଚ ଇଲାକା ରେ ନୀଳ ଜହର ନିଶା, ଫେଲ ମାରିଛି ନୀଳ ଜହର ମୂଳଉତ୍ପାଟନ ରଣନୀତି

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ସଚେତନତା ସ୍ୱତ୍ତେ ବଢ଼ି ଚାଲିଛି ନୀଳ ଜହର ଚାଷର ନିଶା l ନୀଳ ଜହର ଚାଷର ପେଣ୍ଠସ୍ଥଳୀ କୁହାଯାଉଥିବା କନ୍ଧମାଳ ଜ଼ିଲ୍ଲାର ଫିରିଙ୍ଗିଆ, ବାଲିଗୁଡା, କ ନୂଆଗାଁ, ଦାରିଙ୍ଗବାଡି ରେ ଲୋକଙ୍କୁ ନୀଳ ଜହର ନିଶା ଘାରିଛି l ବାହାର ରାଜ୍ୟର ଲୋକେ ଅବାଧ ପ୍ରବେଶ କରି କାନ୍ଧମାଳିଆ ଙ୍କୁ ଚାଷ ପାଇଁ ଅର୍ଥ ଲଗାଣ କରୁଛନ୍ତି, ରାତା ରାତି ବଡ଼ଲୋକ ହେବାର ନିଶା ଏମିତି ଘାରିଛି ଯେ ପନିପରିବା, ଧାନ, କାନ୍ଦୁଲ, ବିରି, ଚାଷରୁ ଚାଷୀ ଏବେ ମୁହଁ ଫେରାଇ ଗଞ୍ଜେଇ ଚାଷରେ ମନଯୋଗ ଦେଉଛି, ଏହି ଚାଷ ସହିତ ବ୍ୟବସାୟ ରେ ଯୁବଗୋଷ୍ଠୀ ସାମିଲ ହେଉଛନ୍ତି,ପୋଲିସ ଓ ଅବକାରୀ ବିଭାଗ ଡାଳେ ଡାଳେ ଗଲେ ଗଞ୍ଜେଇ ଚାଷୀ ଓ ବ୍ୟବସାୟୀ ପତ୍ରେ ପତ୍ରେ ଯାଉଛନ୍ତି l କାର୍ତ୍ତିକ ମାସ ପରେ ପରେ ଗଞ୍ଜେଇ ଆଦାୟ ହେବାର ସମୟ, ଉପାନ୍ତ ଇଲାକା ଚାଷୀ ସରକାରୀ ଜମି,ଜଙ୍ଗଲ ଜମି ରେ ହେକ୍ଟର ହେକ୍ଟର ଜମି ଉପରେ ଚାଷ କରୁଛି l ନୀଳ ଜହର ଚାଷ କୁ ମୂଳଉତ୍ପାଟନ ପାଇଁ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ଅର୍ଥ ବ୍ୟୟ ବରାଦ ହେଉଛି କିନ୍ତୁ ଏହା ଥମିବା ପରିବର୍ତ୍ତେ ବୃଦ୍ଧି ପାଇବାକୁ ଲାଗିଛି l କନ୍ଧମାଳିଆ ଙ୍କ ନୀଳ ଜହର ଚାଷ ଏବେ କୁଟୀର ଶିଳ୍ପ ଭାବରେ ପରିଗଣିତ ହୋଇଛି ଏହି ଚାଷ ଓ ବ୍ୟବସାୟ ମାଧ୍ୟମ ରେ ଆର୍ଥିକ ଅଭିବୃଦ୍ଧି ଘଟିଛି ଏକଥା କୁ ଆମେ ଅସ୍ବୀକାର କରିବା ନାହିଁ କିନ୍ତୁ ଜ଼ିଲ୍ଲାରେ ଦୈନିକ ଅପରାଧ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି l ଗାଁ ଗାଁ ରେ ଫାଷ୍ଟ ଫୁଡ ଦୋକାନ ସହ ବେଆଇନ ମଦ କାରବାର ବୃଦ୍ଧି ପାଇ ଅପରାଧିକ କାର୍ଯ୍ୟକଳାପ ପାଇଁ ଇନ୍ଧନ ଯୋଗାଉଛି l ସକାଳ ହେଲେ ଗାଁ ରେ ପୁରୁଷ ଶୂନ୍ୟ ହେଉଛି, ଦିନ ଦ୍ବି ପ୍ରହର ରେ ପୁରୁଷ ବ୍ୟକ୍ତି ଙ୍କୁ ଗାଁ ରେ ଦେଖିବାକୁ ମିଳୁନି l ନୀଳ ଜହର ଚାଷ ପାଇଁ ଜଙ୍ଗଲ କୁ ବାଛି ନେଇଛନ୍ତି ପ୍ରକୃଷ୍ଠ ସ୍ଥାନ l ଦିନ ଥିଲା କନ୍ଧମାଳ ଚାଷୀ ହଳଦୀ, ଅଦା,ବିନ ଓ ଆଳୁ ଚାଷ ପାଇଁ ସୁନାମ ଅର୍ଜନ କରିଥିଲା ଏବେ ଗଞ୍ଜେଇ ବା ନୀଳ ଜହର ଚାଷ ପାଇଁ ଜ଼ିଲ୍ଲା ଦୁର୍ନାମ ଅର୍ଜନ କରିଛି l ପୋଲିସ ଓ ଅବକାରୀ ବିଭାଗ ତଥା ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନ ରେ ଜନ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉନ ଥିବାରୁ ଏହା ବ୍ୟାପକ ଭାବେ ବୃଦ୍ଧି ପାଇବାର ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l ଜ଼ିଲ୍ଲାରେ ନୀଳ ଜହର ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ସରକାର ଙ୍କ କଡା ଆଭିମୁଖ୍ୟ ସହ ରୋଡ଼ ମ୍ୟାପ ପ୍ରସ୍ତୁତି ର ଆବଶ୍ୟକ l ନୀଳ ଜହର ନିଶା ରେ କବଳିତ ଚାଷୀ ଙ୍କୁ ମୁଖ୍ୟସ୍ରୋତ ରେ ଫେରାଇ ଆଣିବାକୁ ହେଲେ ଚାଷଜମି ଜଳସେଚନ ଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ଆବଶ୍ୟକ, ଯୁବବର୍ଗ ତଥା ଶିକ୍ଷିତ ବେକାରୀ ଙ୍କୁ ଆତ୍ମ ନିଯୁକ୍ତି ଦେବା ଆବଶ୍ୟକ ତେବେ ସରକାର ଏହି ମିଶନ ରେ ଫଳପ୍ରଦ ହୋଇ ପାରିବ l କେବଳ ଗଞ୍ଜେଇ ଧରପଗଡ଼ ଓ ଗଞ୍ଜେଇ କଟା ଅଭିଯାନ ରେ ପ୍ରଶାସନ ସୀମିତ ନ ରହି ସ୍ଥାନୀୟ ଲୋକ ପ୍ରତିନିଧି, ଗ୍ରାମାଞ୍ଚଳ ରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ସମାଜସେବୀ ଙ୍କୁ ନେଇ ମିଳିତ ଭାବେ ନୀଳ ଜହର ର ନିଶା ଠାରୁ ନୀଳ ଜହର ର ପେଶା ଠାରୁ ଦୁରେଇ ରହିବା ପାଇଁ ସୁସ୍ଥ ସମାଜ ଗଠନ ଦିଗରେ ମିଳିମିଶି କାମକଲେ ହୁଏତ କିଛି ସକାରାତ୍ମକ ଫଳପ୍ରଦ ହୋଇ ପାରନ୍ତା ବୋଲି ଆଶା କରାଯାଉଛି l ତେବେ ଦେଖିବାକୁ ବାକି ରହିଲା ଯେ ଲୋକଙ୍କ ସରକାର କି ପଦକ୍ଷେପ ନେଉଛନ୍ତି, ଜ଼ିଲ୍ଲାରୁ ନୀଳ ଜହର ସମୂଳେ ଧ୍ବଂସ ପାଇଁ ଜ଼ିଲ୍ଲା ପ୍ରଶାସନ କି ଭଳି ଆଭିମୁଖ୍ୟ ଗ୍ରହଣ କରୁଛି l
What's Your Reaction?






